ବଲାଙ୍ଗୀର: ମାଓବାଦୀ-ପୁଲିସ ଗୁଳି ବିନିମୟ; ୨ ମାଓବାଦୀ ନିହତ

ବଲାଙ୍ଗୀର: ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ଡୁଡ୍‌କାମାଲ ଗାଁ ନିକଟରେ ମାଓବାଦୀ ଏବଂ ଏସ୍‌ଓଜି ଓ ଡିଭିଏଫ୍‌ଙ୍କ ମଧ୍ୟରେ ଗୁଳିବିନିମୟ ଘଟିବାରୁ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି।

ଗତ ରାତିରୁ ଏ ପର୍ଯ୍ୟନ୍ତ ସେଠାରେ ଗୁଳି ବିନିମୟ ଓ କମ୍ବିଂ ଅପରେସନ୍‌ ଚାଲିଛି।

ଡୁଡ୍‌କାମାଲ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତିର ସୂଚନା ପାଇବା ପରେ ରାତି ପ୍ରାୟ ୧୦ଟା ବେଳେ ଏସ୍‌ଓଜି ଓ ଡିଭିଏଫ୍‌ ମିଳିତ ଭାବେ ସେଠାରେ କଂବିଙ୍ଗ୍‌ ଅଭିଯାନ ଆରମ୍ଭ କରିଥିଲେ।

ସମ୍ପୃକ୍ତ ଅଞ୍ଚଳରୁ ଗତ ରାତିରେ ଜଣେ ଏବଂ ଆଜି ସକାଳେ ଆଉ ଜଣେ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ କ୍ୟାଡର୍‌ ମାଓବାଦୀ ଥିବାର ସୂଚନା ମିଳିଛି। ସଞ୍ଜିବ ଏବଂ ରାକେଶ ନାମରେ ପରିଚିତ ଦୁଇ ନିହତ ମାଓବାଦୀ ବଲାଙ୍ଗୀର-ବରଗଡ଼ ଏବଂ ମହିଷାମୁଣ୍ଡା ସିପିଆଇ ମାଓ ଡିଭିଜନ୍‌ର ବଲାଙ୍ଗୀର ପ୍ଲାଟୁନ୍‌ ମେମ୍ବର। ଏବେ ଶବ ଦୁଇଟିକୁ ବ୍ୟବଚ୍ଛେଦ କରାଯିବାକୁ ଡାକ୍ତରଖାନା ନିଆଯାଉଛି।

ଏହା ବ୍ୟତୀତ ଗୁଳି ବିନିମୟ ଘଟିଥିବା ଅଞ୍ଚଳରୁ ଗୋଟିଏ ଇନ୍‌ସାସ୍‌ ଏବଂ ଗୋଟିଏ ଏକେ୪୭ ସହ ବ୍ୟାପକ ମାଓ ସାମଗ୍ରୀ ଜବତ କରାଯାଇଛି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାଓ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ପ୍ରକାଶ।

ସମ୍ବନ୍ଧିତ ଖବର