ବଲାଙ୍ଗୀରର ଲକ୍ଷ୍ମୀଯୋରରେ ଗଞ୍ଜେଇ ଗଛ!

ବଲାଙ୍ଗୀର: ବଲାଙ୍ଗୀରରେ ଅଗଷ୍ଟ ବନ୍ୟା ପରେ ଚର୍ଚ୍ଚାକୁ ଆସିଥିଲା ଲକ୍ଷ୍ମୀଯୋର । ଲକ୍ଷ୍ମୀଯୋର ନାଳାର ବନ୍ୟା ପାଣି ସହରସାରା ମାଡ଼ିଥିଲା । ନାଳା ନିକଟରେ ବସତିକୁ ପାଣି ମାଡ଼ିବାରୁ ବହୁ ଘରଦ୍ୱାର ଉଜୁଡ଼ିଥିଲା । ଧନସମ୍ପତ୍ତି ନଷ୍ଟ ହୋଇଥିଲା । ଜୀବନରେ କେବେ ବନ୍ୟା ଦେଖିନଥିବା ଲୋକ ବନ୍ୟା ଦେଖିଥିଲେ । ରାଜନୀତି ବି ଜମିଥିଲା । ପ୍ରକଳ୍ପର ଭୁଲ ଡିଜାଇନ ଯୋଗୁଁ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ବନ୍ୟା ହୋଇଥିବା ବିଭାଗୀୟ ଯନ୍ତ୍ରୀ ସ୍ୱୀକାର କରିଥିଲେ ।

କେବଳ ବନ୍ୟା ନୁହେଁ, ପାଖାପାଖି କୋଡ଼ିଏ କୋଟି ଟଙ୍କା ଖର୍ଚ୍ଚ ପରେ ବି ଲକ୍ଷ୍ମୀଯୋରର ସୌନ୍ଦର୍ଯ୍ୟକରଣ କାମ ଏ ପର୍ଯ୍ୟନ୍ତ ହୋଇପାରିନି । ଏବେ ଅନାବନା ଗଛ ନାଳ ଉପରେ ରହିଛି । ଅଳିଆ ଆବର୍ଜନାରେ ଲକ୍ଷ୍ମୀ ଯୋର ପୋତି ହେବାକୁ ବସିଲାଣି । ଏସବୁ ଭିତରେ ସାମ୍ନାକୁ ଆସିଛି ରୋଚକ ଚିତ୍ର । ଲକ୍ଷ୍ମୀ ଯୋରର ବିଭିନ୍ନ ସ୍ଥାନରେ ଅନେକ ଗଞ୍ଜେଇ ଗଛ ବଢ଼ୁଛି । ଠିକାଦାରପଡା ବ୍ରିଜ ନିକଟ ତଥା ଥାନା ପଛପଟ ଲକ୍ଷ୍ମୀ ଯୋର ନାଳା ଭିତରେ ଗଞ୍ଜେଇ ଗଛ ହୋଇଛି । ଅନାବନା ଗଛ ବୁଦା ଭିତରେ ଗଞ୍ଜେଇ ଗଛ ସବୁ ରହିଛି । ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଖବର ପାଇ ପହଞ୍ଚିବାରୁ ସେମାନେ ଦୁଇ ତିନୋଟି ସ୍ଥାନ ବୁଲାଇ ଦେଖାଇଥିଲେ । ଗଞ୍ଜେଇ ଗଛ ଏବେ ପ୍ରକଳ୍ପର ନାଳାରେ ହୋଇଥିବା ସେମାନେ କହିଥିଲେ ।

ତୁରନ୍ତ ଅଳିଆ ଆବର୍ଜନା ଓ ଏଭଳି ଅନାବନା ଗଛ ସବୁ ସଫେଇ କରାଯିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଆଗକୁ ବର୍ଷା ଆସୁଛି ଏବଂ ସଫେଇ ନ ହେଲେ ପୁଣି ବର୍ଷା ଜଳ ନାଳାରୁ ଉଛୁଳିବାର ଆଶଙ୍କା ରହିଛି ବୋଲି ଲୋକ କହୁଛନ୍ତି । ଏସବୁ ଭିତରେ ଲକ୍ଷ୍ମୀ ଯୋର ନାଳାରେ ହୋଇଥିବା ଗଞ୍ଜେଇ ଗଛକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧିତ ଖବର