ଗାର୍ଡୱାଲରେ ପିଟି ହେଲା ବୋଲେରୋ, ୬ ଆହତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟ ଖୁଟୁଗୁଡା ଗ୍ରାମ ନ୍ୟୁ ରାଇସ ମିଲ୍‌ ପାଖରେ ବୁଧବାର ପ୍ରାୟ ସାଢ଼େ ୮ ଟାରେ ଏକ ବୋଲେରୋ ଗାର୍ଡ ୱାଲରେ ପିଟି ହୋଇଯାଇଛି। ଫଳରେ ଏଥିରେ ବସିଥିବା ୬ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ମହିଳା ଅଛନ୍ତି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡି ୦୮ ଡି ୧୩୩୮ ନମ୍ବର ବିଶିଷ୍ଟ ଏକ ବୋଲେରୋରେ ପାପଡାହାଣ୍ଡି ଥାନା ମେରି ଗ୍ରାମରୁ ୧୨ଜଣ ଲୋକ ଉମରକୋଟ ଥାନା ବଡକୁମାରୀ ପଞ୍ଚାୟତର ତାଲାପଦର ଗ୍ରାମକୁ ଏକ ଝିଅକୁ ଦେଖିବାକୁ ଆସିଥିଲେ।

ମେରୀ ଗ୍ରାମର ସମ୍ପୃକ୍ତ ଝିଅକୁ ତାଲାପଦର ଗ୍ରାମର ଜଣେ ଯୁବକ ୩ ଦିନ ତଳେ ଧରି ଚାଲି ଆସିଥିଲେ। ବୋଲେରୋରେ ଥିବା ଯାତ୍ରୀମାନେ ସମ୍ପୃକ୍ତ ଝିଅର ସମ୍ପର୍କୀୟ ଥିଲେ। ପ୍ରାୟ ସାଢ଼େ ୭ଟାରେ ଏମାନେ ମେରୀ ଗାଁରୁ ବାହାରି ତାଲାପଦର ଆସୁଥିବାବେଳେ ପ୍ରାୟ ସାଢ଼େ ୯ ଟାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ବଂଚାଇବାକୁ ଯାଇ ଗାର୍ଡ ୱାଲରେ ବୋଲେରୋଟି ପିଟି ହୋଇଯାଇଥିଲା। ଆହତମାନେ ହେଲେ ବିଜୟ ହରିଜନ, ବିମଳା ହରିଜନ, ଦମତି ହରିଜନ, ମଥୁରା ହରିଜନ ଓ ପ୍ରତାପ ନାଗ ଏବଂ ଅନ୍ୟ ଜଣେ।

ବିଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉମରକୋଟ ଥାନା ଏଏସଆଇ ଶରତ ଚନ୍ଦ୍ର କୁଟ୍ରୁକା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଉମରକୋଟ ହସପିଟାଲରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି।

ସମ୍ବନ୍ଧିତ ଖବର