କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ତିଆଡ଼ିକଣ୍ତିଆଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦ୍ରାପଡ଼ା ବସଷ୍ଟାଣ୍ତ୍ ଅଭିମୁଖେ ଆସୁଥିବା ଏକ ବୋଲେରୋ ରାସ୍ତା ପାର୍ଶ୍ବ ଗଛରେ ପିଟି ହେଇଯିବାରୁ ତିନି ଜଣ ମହିଳା ମଞ୍ଚ ଅଭିନେତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବ˚ ପରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସ˚କଟାପନ୍ନ ଥିବା ଜଣାପଡ଼ିଛି। ଏହି ଅଭିନେତ୍ରୀମାନେ ଗାଁ ଡ୍ରାମା ରିହରର୍ସାଲ୍ ସାରି ଘରକୁ ଫେରୁଥିବା ବେଳେ ଏଭଳି ଭୟାବହ ଦୁର୍ଘଟଣାର ଶିକାର ହୋଇଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ୍ ଆୟେବା ପଞ୍ଚାୟତର ନରଣପୁର ଗାଁରେ ପ୍ରତିବର୍ଷ ଜାଗରରେ ଡ୍ରାମା ହୋଇଥାଏ। ଗାଁ ଲୋକେ ମିଶି ଏହି ଡ୍ରାମା କରୁଥିବା ବେଳେ ଅଭିନେତ୍ରୀଙ୍କୁ ବାହାରୁ ଅଣାଯାଇଥାଏ। ଏହି କ୍ରମରେ ଚଳିତବର୍ଷ ୫ ଜଣ ଅଭିନେତ୍ରୀ ଭଦ୍ରକ ଜିଲ୍ଲା ସବରଙ୍ଗ ଥାନା ସାହାଡ଼ା ଗ୍ରାମର ବେବିରାଣୀ ଦାସ, ବାଲେଶ୍ବର ଭୋଗରାଇ ସାହାବାଜପୁର ଜ୍ୟୋତ୍ସ୍ନାମୟୀ ପରମାଣିକ, କଟକ ୪୨ମୌଜାର ସବଳପୁର ରାଜଲକ୍ଷ୍ମୀ ରାଉତ, କଟକ ରାଣୀହାଟ ମାଳିସାହିର କୁସୁମ ମ˚ଜରୀ ଆଚାରୀ ଏବ˚ କଟକ ନେମାଳର ରୁବିନା ନାଥ ଆସିଥିଲେ। ଗଲା ତିନି ଦିନ ହେବ ସେମାନେ ଗାଁରେ ରହି ରିହରର୍ସାଲ୍ କରିଥିଲେ। ଆଜି ଭୋର୍ ପ୍ରାୟ ସାଢେ଼ ୫ଟା ବେଳେ ଏମାନଙ୍କୁ ବୋଲେରୋ ଗାଡ଼ି (ଓଡି ୦୫ ବିଏ-୮୯୦୧)ରେ ଧରି ବସଷ୍ଟାଣ୍ତ୍ରେ ଛାଡ଼ିବା ପାଇଁ ନରଣପୁର ଗାଁର ଉତ୍କଳ କେଶରୀ ସ୍ବାଇଁ ଓ ଅଲେଖ ସ୍ବାଇଁ ଆସୁଥିଲେ। ଉତ୍କଳ ଗାଡ଼ି ଚଳାଉଥିଲେ। ଗାଁଠୁ ପାଖାପାଖି ୯ କିଲୋମିଟର୍ ଆସିବା ପରେ ସଦର ଥାନା ଓସ୍ତପୁର ପେଟ୍ରୋଲ ପମ୍ପ୍ ପାଖ ବାଙ୍କମୁଣ୍ତ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ସିଧାସଳଖ ଏକ ଗଛରେ ପିଟି ହେଇଯାଇଥିଲା।
ଦୁର୍ଘଟଣା ଏତେ ପ୍ରଚଣ୍ତ ଥିଲା ଯେ ପଛ ସିଟ୍ରେ ବସିଥିବା ଜଣେ ମହିଳା କଳାକାର ଆଗକୁ ଛିଟ୍କି ଆସି ଗାଡ଼ି ବନେଟ୍ ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ବେବିରାଣୀ ଦାସ, ଜ୍ୟୋତ୍ସ୍ନାମୟୀ ପରମାଣିକ ଓ ରାଜଲକ୍ଷ୍ମୀ ରାଉତଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ି କଟାଯାଇ ଡ୍ରାଇଭର୍ଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା। ଡ୍ରାଇଭର୍ ଉତ୍କଳଙ୍କ ସମେତ ଅନ୍ୟ ଚାରି ଜଣଙ୍କୁ ସ˚ଗେ ସ˚ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସମସ୍ତଙ୍କୁ କଟକ ବଡ଼ ମେଡିକାଲ୍କୁ ରେଫର୍ କରିଦେଇଥିଲେ। ଗୁରୁତର ଉତ୍କଳ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ତିନି ଜଣଙ୍କର ବଡ଼ ମେଡିକାଲ୍ ଚିକିତ୍ସା ଚାଲିଛି। ମୃତ ତିନି ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲ୍ରେ ରଖାଯାଇ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୋଲୋରେ ଗାଡ଼ିକୁ ଜବତ୍ କରି ଥାନାକୁ ଆଣିଛି। ଥାନା ଅଧିକାରୀ ସରୋଜ ସାହୁ କହିଛନ୍ତି ଯେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।