ଛତିଆ : ମାତ୍ର ୧୫ ଦିନ ତଳେ ଘର ଆଗରୁ ଚୋରି ହୋଇଯାଇଥିଲା ବୋଲେରୋ। ଆଜି ଉଦ୍ଧାର କଲାବେଳକୁ ତାହା ଆଉ ଗାଡ଼ି ହୋଇ ନଥିଲା। ଅଧାକଟା ଅବସ୍ଥାରେ ପୁଲିସକୁ ମିଳିଥିଲା।  ଛତିଆ ଉପରବଜାର ସୁନୀଲ ସିଂଙ୍କ ବୋଲେରୋକୁ କାଟି ବିକିଦେବାକୁ ବସିଥିଲେ ଚୋର। ତା’ର ଉପରାଭଗକୁ ଆଜି ପୁଲିସ ଉଦ୍ଧାର କରି ଆଣିଛି। ଗତ ୧୫ ତାରିଖରେ ତାଙ୍କ ଘର ଆଗରୁ ବୋଲେରୋ (ଓଆର ୦୫ ଏସ୭୦୫୨)ଟି ଚୋରି ହୋଇଥିଲା। ଗାଡ଼ି ଚୋରି ସଂପର୍କରେ ସୁନୀଲ ବୈରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ସଂଘମିତ୍ରା ନାୟକ ବିଶେଷ ସୂତ୍ରରୁ ଖବର ପାଇ

Advertisment

ଗତକାଲି ସନ୍ଧ୍ୟାରେ ବୈରୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍ କଟକ ଜିଲ୍ଲା ସାଲେପୁରଠାରେ ଚଢ଼ଉ କରିଥିଲେ। ସେଠାରେ ଥିବା ଚୋରି ରୢାକେଟ ସଦସ୍ୟମାନେ ପ୍ରବଳ ପ୍ରତିରୋଧ କରିଥିଲେ ମଧ୍ୟ ପୁଲିସ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ୨ ଜଣ ଶ୍ୟାମସୁନ୍ଦର ଦାସ ଓ ଜଗବନ୍ଧୁ ବାରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ସାଲୋପୁର ଥାନା ଶଙ୍କରପୁରର ଅରକ୍ଷିତ ଓଝା(୨୯) , ଏସକେ କାଲୁ(୨୨), ନିମାଳ ଥାନା ବରମପୁରର ମିଜାର୍ ନୁମାନ ବେଗ୍ (୫୦), ବରୀରାମଚନ୍ଦ୍ରପୁର ଥାନା ମାଳଦାର ମସ୍କୁର ଅଲ୍ଲୀ(୪୦) ଓ ଏସକେ ରହେମଦ(୨୪)।

କେସ ନମ୍ବର ୧୦୪/୨୨ରେ ଦଫା ୩୭୯ ଆଇପିସିରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନା ଅଧିକାରୀ ସଂଘମିତ୍ରା ନାୟକ, ଏଏସଆଇ ଜହର ଆବେଦିନ୍, ଅସରଫ୍ ଅଲ୍ଲୀରାଜ୍, ଦିଲୀପ ସ୍ବାଇଁ, ହୃଷୀକେଶ ପୃଷ୍ଟି ଏହି ଚଢ଼ଉରେ ସାମିଲ ଥିଲେ। ଫେରାର ୨ ଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।