ଖୋର୍ଦ୍ଧା: ବୋଲଗଡ଼ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପଦବୀକୁ ନେଇ ବିବାଦ ଆଜି ରାଜରାସ୍ତାକୁ ଆସିଛି । ସଂଘର ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ସମର୍ଥନ ଜଣାଇ ଶତାଧିକ କଳାକାର ଓ ସଂଘର ସଦସ୍ୟ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।
ଆଜି ପୂର୍ବାହ୍ଣରେ ବୋଲଗଡ଼ କଳା ସଂସ୍କୃତି ସଂଘର ଶତାଧିକ ସଦସ୍ୟ ମୃଦଙ୍ଗ, ତାଳ, ଝାଂଜ ଆଦି ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । କାର୍ଯ୍ୟାାଳୟ ସମ୍ମୁଖରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୋମବାର ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଇଥିବାରୁ ତାଙ୍କ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଏନେଇ କଳାକାର ସଂଘର ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ କହିବା କଥା ହେଲା, ବ୍ଲକରେ ୩୫ଟି ଲୋକକଳା ଦଳ ଓ ୫୮୦ ସଦସ୍ୟଙ୍କୁ ନେଇ ବ୍ଲକ କଳା ସଂସ୍କୃତି ସଂଘ ଗଠିତ ।
ସଂଘର ସଭାପତି ବିଡିଓ ଏବଂ ସମ୍ପାଦକ ବ୍ଲକ ସମାଜ କଲ୍ୟାଣ ଅଧିକାରୀ ଅଟନ୍ତି । ପୂର୍ବ ନିର୍ବାଚନରେ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେ ସର୍ବାଧିକ ସଂଖ୍ୟାରେ ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଅପରପକ୍ଷରେ କେତେକ ନ୍ୟସ୍ତସ୍ୱାର୍ଥବାଦୀ ଗୋଷ୍ଠୀ ଏହି ସରକାରୀ ସଂଗଠନର ଏକ ସମାନ୍ତରାଳ କଳାକାର ମହାସଂଘ ଗଠନ କରି ବିଭିନ୍ନ ବ୍ଲକର କଳାକାରଙ୍କୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛନ୍ତି । ଏହାର ପ୍ରତିବାଦ କରିବାରେ ସେମାନେ ତାଙ୍କ ବିରୋଧରେ ବିଭିନ୍ନ କୁତ୍ସାରଟନା କରିବା ସହ ସଂଘକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ସଂଘର ନିୟମାନୁସାରେ, ସଂଘର ସମସ୍ତ ଆୟବ୍ୟୟ ବିଡିଓ ଓ ବ୍ଲକ ସମାଜ ମଙ୍ଗଳ ଅଧିକାରୀ କରୁଥିବା ବେଳେ ସଂଘର ଲକ୍ଷାଧିକ ଟଙ୍କାର ଆତ୍ମସାତ ଅଭିଯୋଗ କରାଯାଇଛି । ଏହି ସମସ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।
ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଲିବାଳା ପ୍ରଧାନ, ନିହାର ରଂଜନ ପରମଗୁରୁ, ଗୋଦାବରୀଶ ମହାନ୍ତି, ମହେଶ୍ୱର ମହାରଣା, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ, ବୁଲା ପ୍ରଧାନ, ଗୁଣନିଧି ପ୍ରଧାନ, ବଳଭଦ୍ର ନାୟକ, ଅନ୍ନପୂର୍ଣ୍ଣା ବେହେରା, କୁନି ସାହୁ, କମଳା ଭୂୟଁଜ, ସବିତା ମହାପାତ୍ରଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/32-8.jpg)