ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଅରୁଣ ବୋଥ୍ରାଙ୍କୁ ଭେଟିଲେ ବଲିଉଡ୍‌ ଅଭିନେତା

କଟକ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାର ସୁଟିଂ ଏବେ ଜୋର୍‌ଦାର ଆଗେଇ ଚାଲିଛି । ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ଆଇଜି ଅରୁଣ ବୋଥ୍ରାଙ୍କୁ ଭେଟିଛନ୍ତି ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲ୍‌କର୍ଣ୍ଣି ଏବଂ ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର । ଉଭୟ ଆଇଜି ଏବଂ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ତଥା ଅତିିରିକ୍ତ ଏସ୍‌ପି ଅନିଲ ଦାସଙ୍କ ସହିତ ମୁଖ୍ୟାଳୟରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଦୁଇ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କ ସହିତ ଅଭିନେତାମାନେ ସେଲ୍‌ଫି ଉଠାଇଛନ୍ତି । ଅନ୍ୟପଟେ ଗୁଜୁରାଟ ଗାନ୍ଧିନଗସ୍ଥିତ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ଯାଇଥିବା ମାଷ୍ଟର୍‌ମାଇଣ୍ଡ ପୁଞ୍ଜିଲାଲ ଦ୍ୱାରା ବ୍ୟବହୃତ ବିଭିନ୍ନ ଉପକରଣର ପରୀକ୍ଷା ହୋଇସାରିଛି । ପୁଞ୍ଜିଲାଲ ଯେଉଁ ତଥ୍ୟ ଡିଲିଟ୍‌ କରିଥିଲେ, ସେଗୁଡ଼ିକ ରିଷ୍ଟୋର ହୋଇଯାଇଛି । ରିପୋର୍ଟ ପାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ୨ ଲକ୍ଷ ଟଙ୍କାର ଦେୟ ଜମା କରାଯାଇଛି। ଖୁବ୍‌ ଶୀଘ୍ର ରିପୋର୍ଟ ଲ୍ୟାବ୍‌ ପକ୍ଷରୁ କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟକୁ ପଠାଯିବ ବୋଲି ସୂଚନା ମିଳିଛି ।

ବଲାଙ୍ଗୀର ପାଟଣାଗଡ଼ରେ ଫେବ୍ରୁଆରି ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେ ମା’ ଜେନାମଣୀ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଙ୍କ ସ୍ତ୍ରୀ ରିମା ଅଳ୍ପକେ ବର୍ତ୍ତିଯାଇଥିଲେ । ଚର୍ଚ୍ଚିତ ଘଟଣାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହର୍‌କୁ ଗିରଫ କରିଥିଲା । ଏହି ଘଟଣାକୁ ନେଇ ରେଞ୍ଜ ରୟାଲ ସିନେ ଲାବ୍‌ ପକ୍ଷରୁ ସିନେ ପ୍ରଯୋଜକ ଶ୍ରୀଧର ମାର୍ଥା ଓଡ଼ିଆ ଓ ତେଲ୍‌ଗୁ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’ ର ସୁଟିଂ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର