ସମ୍ବଲପୁର: ସମ୍ବଲପୁର ସହରରେ ବଲିଉଡ୍ ଗାୟକ କୈଳାସ ଖେରଙ୍କ କ୍ରେଜ୍। ଅଇଁଠାପାଲି ପିଏଚଡି ପଡିଆରେ କୈଳାସଙ୍କ ଗୀତ ଶୁଣିବା ପାଇଁ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କୈଳାସ ଖେର୍ଙ୍କ ଗୀତର ତାଳେ ତାଳେ ଦର୍ଶକ ମଧ୍ୟ ନାଚି ଉଠିଥିଲେ। ‘ଜାନା ଯୋଗୀ ଦେ ନାଲ୍’ ଗୀତ ଗାଇ ଯେତେବେଳେ କୈଳାସ ଷ୍ଟେଜ୍ରେ ପ୍ରବେଶ କରିଥିଲେ, କରତାଳି ଓ ସିଟିରେ ପଡ଼ିଆ ପ୍ରକମ୍ପିତ ହୋଇଥିଲା। ପ୍ରଥମ ଗୀତ ଗାଇବା ପରେ ‘ଜୟ ମା ସମଲେଶ୍ବରୀ’ କହି ଆଶୀର୍ବାଦ ନେଇଥିଲେ।
ଗୀତ ଗାଇବା ବେଳେ ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଗୀତରେ ସମ୍ବଲପୁର ଓ ସମ୍ବଲପୁରବାସୀଙ୍କୁ ସାମିଲ କରିଥିଲେ। ଯାହା ଦର୍ଶକଙ୍କ ମନ ଜିଣିଥିଲେ। ‘ତବା ତବା ରେ.. ତେରି ସୁରତ, ତବା ତବାରେ ସମ୍ବଲପୁର.. ତେରି ସୁରତ’, ତୁମ୍ସେ ନାଜାନେ କ୍ୟୁଁ, ପିୟାକେ ରଙ୍ଗ ରଙ୍ଗଦିନି, କୈନ ହୈ ବୋ କୈନ ହୈ ବୋ, ଜୟ ଜୟ କାରା, ତେରି ଦିଵାନି’ ଭଳି ହିଟ୍ ଗୀତଗୁଡ଼ିକ ସିଧାସଳଖ କୈଳାସଙ୍କ କଣ୍ଠରେ ଶୁଣି ଦର୍ଶକ ମତୁଆଲା ହୋଇଥିଲେ। କୈଳାସଙ୍କ ବ୍ୟାଣ୍ଡ୍ ‘କୈଳାସା’ ଦର୍ଶକଙ୍କୁ ବାନ୍ଧି ରଖିବାରେ କୌଣସି ସୁଯୋଗ ହାତଛଡ଼ା କରି ନଥିଲା। ସବୁ ଗୀତକୁ କୈଳାସ ନାଚି ନାଚି ଗାଇଥିବା ବେଳେ ଦର୍ଶକ ମଧ୍ୟ ଝୁମିଥିଲେ। ସାଧାରଣ ଦର୍ଶକ ମନଖୋଲି ନାଚିଥିବା ବେଳେ ନେତା, ପ୍ରଶାସକ ଓ ଭିଭିଆଇପିମାନେ ବି ନିଜକୁ ସମ୍ଭାଳି ପାରି ନଥିଲେ। ଶହ ଶହ ଲୋକ ଚୌକି ଉପରେ ଚଢ଼ି ଝୁମିଥିଲେ। ହଜାର ହଜାର ଦର୍ଶକଙ୍କ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଭୂଇଁରେ ତାରା ଫୁଟାଇବାର ଭ୍ରମ ସୃଷ୍ଟି କରିଥିଲା।
ସମ୍ବଲପୁର ପବିତ୍ର ମାଟିରେ ପାଦ ଦେବା ସ୍ବପ୍ନ ଥିଲା
ମା’ ସମଲେଶ୍ବରୀଙ୍କୁ ପ୍ରଣାମ କରି ସମ୍ବଲପୁରବାସୀଙ୍କୁ ସ୍ବାଗତ କରିଥିଲେ କୈଳାସ ଖୈର। ତେବେ ମା’ ସମଲେଶ୍ବରୀଙ୍କ ପବିତ୍ର ମାଟି ସମ୍ବଲପୁରରକୁ ଆସିବା ପାଇଁ ପିଲାଦିନୁ ସ୍ବପ୍ନ ଦେଖିଥିଲି ବୋଲି କହିଥିଲେ। ଆପଣ ମାନେ କେମିତ ଅଛନ୍ତି ବୋଲି ପଚାରିଥିଲେ। ଭିଡିଓ ବାର୍ତ୍ତାରେ କରିଥିବା ନିବେଦନ ରଖି ବହୁ ସଂଖ୍ୟାରେ ଦର୍ଶକ ଆସିଥିବାରୁ କୈଳାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।