ଦଣ୍ତୁଆସିପଡ଼ାରେ ବୋମାମାଡ଼ ଘଟଣା: ଗାଁ ଜଗିଛନ୍ତି ବୃଦ୍ଧ ବୃଦ୍ଧା

ନନ୍ଦପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା, ୭ ଆହତ

ବ୍ରହ୍ମଗିରି : ରାଜନୈତିକ ବିବାଦକୁ ନେଇ ବ୍ରହ୍ମଗିରି ଥାନା ଦଣ୍ତୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼ ପରେ ଏବେ ଗାଁ ପୂରା ଖାଲି ହୋଇଯାଇଛି। ଗତକାଲି ଗାଁରେ ପ୍ରଚଣ୍ତ ଶଦ୍ଦ ଶୁଭିବା ପରେ ପୁଲିସ ଘନ ଘନ ପଇଁତରା ମାରିଛି। ରାତି ତମାମ ପୁଲିସ ଚଢ଼ାଉ ପରେ ଲୋକେ ପୂରା ଗାଁ ଛାଡ଼ି ଦେଇଥିବା ଜଣାପଡିଛି। ଗାଁରେ କେବଳ କେତକ ବୃଦ୍ଧ ଓ ବୃଦ୍ଧାଙ୍କ ସହିତ ଛୋଟ ଛୋଟ ନାବାଳକ ଘର ଜଗି ରହିଛନ୍ତି। ଅନେକ ଲୋକେ ସେମାନଙ୍କ ଗୃହପାଳିତ ପଶୁଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ଗତ ୧୦ ତାରିଖରେ ରାଜନୈତିକ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ୧୦ ଜଣ ସଂଘର୍ଷରେ ଆହତ ହୋଇଥିଲେ। ପୁଲିସ ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବେଲ୍‌ରେ ଆସିବା ପରେ ପୁଣି ଥରେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ୫୦ରୁ ଅଧିକ ବୋମା ମାଡ଼ ହୋଇଥିଲା। ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଜଣେ ଯୁବତୀଙ୍କ ସହିତ ୨୦ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ନିର୍ବାଚନ ପରବର୍ତ୍ତୀ ହିଂସା, ୭ ଆହତ

ନନ୍ଦପୁର : ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗଣତି ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ମତଦାନକୁ କେନ୍ଦ୍ର କରି ମାରପିଟ୍‌ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ମତଦାନକୁ କେନ୍ଦ୍ର କରି ବନମାଳୀପୁଟ ଗାଁର କିଛି ବ୍ୟକ୍ତି ଟାର୍ଗେଟରେ ରହିଥିଲେ। ତେଣୁ ଆଜି ଦେବଗନ୍ଧଣା ଗାଁର କିଛି ଯୁବକ ବନମାଳୀପୁଟ ଯାଇଥିଲେ। ଯୁକ୍ତିତର୍କ ହେବାପରେ ଦେବଗନ୍ଧଣା ଗାଁର ଯୁବକମାନେ ଅତର୍କିତ ଆକ୍ରମଣ କରିଥିଲେ। ଯାହାଫଳରେ ବନମାଳୀପୁଟ ଗାଁର ୭ଜଣ ଆହତ ହୋଇଥିଲେ। ମାରପିଟ୍‌ ଖବର ପାଇ ନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗଣ୍ଡଗୋଳ କରିଥିବା ଦୁଇ ଯୁବକଙ୍କୁ ଥାନାକୁ ଉଠାଇ ଅଣାଯାଇଛି ବୋଲି ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା ସୂଚନା ଦେଇଛନ୍ତି। ସେହିପରି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବନମାଳୀପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ବନମାଳୀପୁଟ ଗ୍ରାମବାସୀଙ୍କ ଏତଲା ଅନୁଯାୟୀ ନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଛି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ନନ୍ଦପୁର ଏସ୍‌ଡିପିଓ ସଂଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର