ପୁରୀ/ବ୍ରହ୍ମଗିରି : ପୁରୀ ସଦର ଥାନା ଅର୍ନ୍ତଗତ ରାହଡ଼ମଲ୍ଲ ପଞ୍ଚାୟତ ନିଶିଭଅଁର ଗାଁରେ କରୋନାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବା ସହ ତାହା ଉଗ୍ର ରୂପ ନେଇଛି। ଏହାକୁ ନେଇ ଗତକାଲି ରାତି ୧୨ଟାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଗ୍ରାମରେ ବୋମାମାଡ଼ ହୋଇଛି। ଏଥିରେ ୭ ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଗୁରୁତରମାନେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Advertisment

ଖବର ନେବାରେ ଜଣାପଡ଼ିଛି ନିଶିଭଅଁର ଗାଁରେ ଗତକାଲି ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ଏହି ଗାଁର ଏକ ଦମ୍ପତି କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଗମ୍ଭାରୀ ଗାଁକୁ ଗତକାଲି ଅପରାହ୍ନରେ ଯାଇଥିଲେ। କିନ୍ତୁ କରୋନା ଆକ୍ରାନ୍ତ ଥିବା ଗ୍ରାମରୁ ସେମାନେ ଆସିଥିବାରୁ ସେହି ଗ୍ରାମବାସୀ ପ୍ରତିବାଦ କରିଥିଲେ। କିନ୍ତୁ ଦମ୍ପତି ନିଜ ଗାଁରେ କେହି କରୋନା ଆକ୍ରାନ୍ତ ବାହାରି ନ ଥିବା କହିବା ସତ୍ତ୍ବେ ଗମ୍ଭାରୀ ଗାଁର କିଛି ଲୋକ ନିଶିଭଅଁର ଗାଁର ଜଣେ ବ୍ୟକ୍ତିଙ୍କୁ ଫୋନ୍‌ କରି କରୋନା ଆକ୍ରାନ୍ତଙ୍କ ବିଷୟରେ ଖବର ନେଇ ଯାଇଥିଲେ। ଏହାପରେ ଦମ୍ପତ୍ତି ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ନିଜ ଗାଁକୁ ଫେରି ପାଟିତୁଣ୍ତ ଆରମ୍ଭ କରିଥିଲେ। କାହିଁକି କରୋନା ପଜିଟିଭ୍‌ ଥିବା ଫୋନ୍‌ରେ ସେ ଗାଁ ଲୋକଙ୍କୁ କହିଲ ବୋଲି କିଛି ଲୋକଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ଗାଁରେ ପୂର୍ବରୁ ମହିଳା ସ୍ବୟଂ ସହାୟହିକା ଗୋ‌ଷ୍ଠୀ(ଏସ୍‌ଏଚ୍‌ଜି)କୁ ନେଇ କିଛି ବିବାଦ ରହିଥିଲା। ତେବେ ଗତକାଲି କରୋନା କଥାକୁ ନେଇ ରାତି ଅଧରେ ଏହି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଟେକାପଥର ଓ ବୋମା ମାଡ଼ରେ ଗାଁ ଥରିଥିଲା।

ଖବର ପାଇ ପୁରୀ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ଫେରିଥିଲା। କିନ୍ତୁ ପୁଲିସ ଫେରିବା ପରେ ପୁଣି ଥରେ ଭୋରରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗାଁ ଦାଣ୍ତରେ ଘନଘନ ବୋମା ମାଡ଼ ହୋଇଥିଲା। ସକାଳ ଦଶଟା ବେଳକୁ ସଦର ଥାନା ପୁଲିସ ଗାଁରେ ପହ‌ଞ୍ଚି ଥିଲା। କିନ୍ତୁ ପୁଲିସ ଉପସ୍ଥିତିରେ ବି ବୋମା ଫୁଟିଥିଲା। ଅପରାହ୍ନରେ ଅଧିକ ପୁଲିସ ଫୋର୍ସ ଗାଁ ଭିତରେ ପହଞ୍ଚି ଜୋରଦାର ଚଢ଼ଉ ଆରମ୍ଭ କରିଥିଲା। ଗାଁରେ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ପଇଁତରା ମାରୁଥିବା ବେଳେ ଡିଏସ୍‌ପି, ସଦର ଥାନା ଆଇଆଇସି, ବ୍ରହ୍ମଗିରି ଆଇଆଇସି ଗାଁରେ ପହଞ୍ଚିଥିଲେ। ପୁରୀ ଏସ୍‌ପି ଅଖିଳେଶ୍ବର ସିଂ ଘଟଣାର ଅନୁଧ୍ୟାନ କରିଥିଲେ। ବୋମାମାଡ଼ରେ ଗୁରୁତର ଦୁଇ ଜଣଙ୍କୁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୫ଜଣ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଆଜି ସନ୍ଧ୍ୟା ସୁଦ୍ଧା ପୁଲିସ ୨୦ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୮ ଜଣ ମହିଳା ଅଛନ୍ତି। ସେଥିରୁ ଜଣେ ମହିଳାଙ୍କର ଗୋଟିଏ ୪ ମାସର ଶିଶୁ ଥିବା ଜଣାପଡ଼ିଛି। ମାସକ ପୂର୍ବେ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀର ଋଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼ ହୋଇଥିଲା। ପୁଲିସ ସେହି ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।