ଚନ୍ଦନପୁର, ସାକ୍ଷୀଗୋପାଳରେ ମଦ ଦୋକାନ ଉପରକୁ ବୋମାମାଡ଼

ପୁରୀ/ସାକ୍ଷୀଗୋପାଳ : ଗୁରୁବାର ସନ୍ଧ୍ୟାରେ ପୁରୀ ଜିଲ୍ଲାର ଚନ୍ଦନପୁର ଓ ସାକ୍ଷୀଗୋପାଳରେ ଥିବା ଦୁଇଟି ମଦ ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଖବର ପାଇ ଚନ୍ଦନପୁର ଓ ସତ୍ୟବାଦୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖିବା ବେଳକୁ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ସୂଚନାଯୋଗ୍ୟ ଯେ ଚନ୍ଦନପୁର ବଜାରରେ ଗତ ୧ ତାରିଖଠାରୁ ଏକ ନୂଆ ମଦ ଦୋକାନ ଖୋଲା ହୋଇଛି। ମଦ ବ୍ୟବସାୟକୁ କେନ୍ଦ୍ର କରି ଏଠାରେ ଗୋଷ୍ଠୀ କନ୍ଦଳ ରହିଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ କୌଣସି ଦୁର୍ବୃତ୍ତ ଏକ ସ୍କୁଟି ଗାଡ଼ିରେ ଆସି ଏହି ମଦ ଦୋକାନ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ପ୍ରଚଣ୍ଡ ଶବ୍ଦ ହେବାରୁ ସେଠାରେ ଥିବା ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫୁଟିଥିବା ବୋମାର ଅବଶିଷ୍ଟାଂଶକୁ ଜବତ କରିଛି।

ସେହିପରି ସତ୍ୟବାଦୀ ଥାନା ଅନ୍ତର୍ଗତ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଜୟପୁର ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ଉପରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ ଟା ସମୟରେ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ଏହି ମଦଦୋକାନ ଉପରକୁ ୨ ଟି ବୋମା ଫିଙ୍ଗିଥିଲେ। ବୋମା ଦୁଇଟି ଦୋକାନର ଆଜବେଷ୍ଟସ ଉପରେ ପଡ଼ିଥିଲା। ଘଟଣାରେ ଦୋକାନର କୌଣସି କ୍ଷୟକ୍ଷତି ହୋଇନାହିଁ। ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ଦେବୀପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି l ମଦ ବ୍ୟବସାୟକୁ କେନ୍ଦ୍ର କରି ଏହି ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର