ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ କେ.ନୂଆଗାଁ ଥାନା କଇଠଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମ ହନୁମାନ ମନ୍ଦିର ନିକଟରେ ଆଜି ଅପରାହ୍ନ ୨ଟାରେ ରାସ୍ତାକାମ ଠିକା ନେଇଥିବା ଠିକାଦାର ମଙ୍ଗୁଳୁ ପାତ୍ରଙ୍କ କ୍ୟାମ୍ପ୍ ନିକଟରେ ବୋମାମାଡ଼ କରିଛନ୍ତି। ଏହାସହ କ୍ୟାମ୍ପ୍ ପରିଚାଳନା ଦାୟିତ୍ବରେ ଥିବା ସୁପରଭାଇଜର୍ ରଞ୍ଜନ କୁମାର ପଣ୍ଡାଙ୍କୁ ଖଣ୍ଡାରେ ଆକ୍ରଣମ କରି ତାଙ୍କଠୁ ଟଙ୍କା ଓ ସେ ପିନ୍ଧିଥିବା ସୁନାମୁଦି ଛଡ଼ାନେଇଛନ୍ତି। ଏହାସହ ହାଇଡ୍ରା ଚାଳକଙ୍କଠୁ ମଧ୍ୟ ମାଡ଼ ମାରି ୨୦୦୦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

Advertisment

୨ଟି ବାଇକରେ ୬ଜଣ ଯୁବକ କ୍ୟାମ୍ପ୍ ନିକଟକୁ ଆସି ଦୁଇଟି ବୋମା ଫୋପାଡ଼ିଥିଲେ। ଫଳରେ କର୍ମଚାରୀମାନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ସେମାନେ ସୁପରଭାଇଜର୍ ରଞ୍ଜନଙ୍କ ପାଖରେ ପହଞ୍ଚି ତାଙ୍କ ମୋବାଇଲ୍‌ରୁ ଠିକାଦାର ମଙ୍ଗୁଳୁଙ୍କୁ କଲ୍ ୩୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ଟଙ୍କା ନଦେଲେ କାମ କରିପାରିବନି ବୋଲି ଚେତାବନୀ ଦେଇଥିଲେ। ଏହାପରେ ସେମାନେ ରଞ୍ଜନଙ୍କୁ ଖଣ୍ଡାରେ ଆକ୍ରମଣ ସହ ତାଙ୍କଠୁ ଟଙ୍କା ଏବଂ ମୁଦି ନେଇଯାଇଥିଲେ। ଏନେଇ କେ.ନୂଆଗାଁ ଥାନାରେ କେସ୍ ନମ୍ବର ୨୭୬/୨୩ ଅନୁସାରେ ମାମଲା ରୁଜୁ ‌ସହ ତଦନ୍ତ ଜାରି ରହିଥିବା ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ପ୍ରକାଶ କରିଛନ୍ତି।