ପଞ୍ଚାୟତ ନିର୍ବାଚନ: ମତଦାନ କେନ୍ଦ୍ରରେ ହଙ୍ଗାମା କଲେ ଦୁର୍ବୃତ୍ତ; ଫିଙ୍ଗିଲେ ବୋମା, ୩ଟି ପୁଲିସ ଗାଡ଼ି ଭାଙ୍ଗିଲେ

ଯାଜପୁର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ତେବେ ରାଜ୍ୟର ଅନେକ ସ୍ଥାନରେ ମତଦାନରେ ବିଭ୍ରାଟ ଦେଖାଯାଇଛି। ଦୁବୃର୍ତ୍ତମାନଙ୍କ ଦ୍ବାରା ଭୋଟ ଗ୍ରହଣ କେନ୍ଦ୍ରରେ ଗଣ୍ଡଗୋଳ ହୋଇଥିବା ଜଣାଯାଇଛି। ଯାଜପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମରେ ୧୦ ଓ ୧୧ ନମ୍ବର ୱାର୍ଡରେ ଦୁର୍ବୃତ୍ତମାନେ ବଳପୂର୍ବକ ମତଦାନ କେନ୍ଦ୍ରକୁ ପ୍ରବେଶ କରି ଆତଙ୍କରାଜ ସୃଷ୍ଟି କରିଛନ୍ତି। ଏନେଇ ଏଠାରେ ମୁତୟନ ଥିବା ପ୍ରିଜାଇଡିଂ ଅଫିସର ପୁଲିସକୁ ସୂଚନା ଦେଇଥିଲେ। ଦୁବୃର୍ତ୍ତମାନେ ୩ଟି ପୁଲିସ ଗାଡ଼ି ଭାଙ୍ଗି ଦେଇଛନ୍ତି। ଜଣେ ମହିଳା ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଯାଜପୁର ଡିଏସ୍‌ପି ସଂଗ୍ରାମ ଟୁଡୁ ପୁଲିସ ବଳ ନେଇ ପହଞ୍ଚିଥିଲେ। ପୁଲିସ ‌ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରିତ କରିଛି। ଭୋଟ ବାକ୍ସ ଗୁଡ଼ିକ ନେଇଯାଇଛି। ସରପଞ୍ଚ ଓ ସମିତି ସଭ୍ୟ ଭୋଟ ପାଇଁ ଏହି ହିଂସା କାଣ୍ଡ ହୋଇଥିବା କୁହାଯାଉଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସେହିପରି ସଦର ବ୍ଲକ ରୁଦ୍ରପୁର ପଞ୍ଚାୟତ ୫ ନମ୍ବର ୱାର୍ଡରେ ଲାଇଭ୍‌ ବୁଥ୍‌ କ୍ୟାପ୍‌ଚରିଂ ହୋଇଛି। ‌ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦ୍ବାରା ବୁଥ୍‌ ଦଖଲ ହୋଇଥିବା ଜଣାଯାଇଛି। ମତଦାନ କେନ୍ଦ୍ରରେ ସରପଞ୍ଚ ପ୍ରାର୍ଥୀଙ୍କ ଦାଦାଗିରି କରିଥିଲେ। ନିଜେ ନିଜେ ବାଲାଟ ଚିରି, ମୋହର ମାରି ବାକ୍ସରେ ଭତ୍ତି ଦେଇଥିଲେ। ପ୍ରତିବାଦ କରିବାରୁ ପୋଲିଂ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭି‌ଯୋଗ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ମଧ୍ୟ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବୁଥରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ଥିବା ଜଣାଯାଇଛି। ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ୬ରୁ ଅଧିକ‌ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଢେଙ୍କାନାଳର ଏକ ମତଦାନ କେନ୍ଦ୍ରରେ ଦୁର୍ବୃତ୍ତମାନେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ମାରି ଭୋଟ୍‌ ବାକ୍ସ ଛଡ଼ାଇ ନେଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ମୁଣ୍ଡ ଫାଟିଛି। ତାଙ୍କୁ ଗଦିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର