ପୁରୀ: ଆଜି ରାତିରେ ପୁଣି ଅଠରନଳା ଛକସ୍ଥିତ ପ୍ରିୟଙ୍କା ହୋଟେଲ, ଦି ମୋବାଇଲ ୱାର୍ଲ୍ଡ ଏବଂ ନାୟକ କୋଲ୍ଡ ବାର୍ ଦୋକାନ ଉପରକୁ ଲଗାତାର ୫ଟି ବୋମାମାଡ଼ ହୋଇଛି। ବୋମାମାଡ଼ର ପ୍ରଚଣ୍ଡ ଶବ୍ଦ ଶୁଣି ଗୋପୀନାଥପୁରର ବାବୁଆ ନାୟକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ତାଙ୍କ ଦୋକାନ ଉପରେ ବୋମାମାଡ଼ ହୋଇଥିବା ଦେଖିଥିଲେ। ଅବଶ୍ୟ ଏହି ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାବୁଆ କହିଛନ୍ତି ଯେ ଗୋପୀନାଥପୁରରେ ଥିବା ୨୭ ଡିସିମିଲି ଜମିକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଛି। ସେ କହିଛନ୍ତି ଯେ ତାଙ୍କ ବାପା ଓ ଦାଦା ମିଶଇ ସମୁଦାୟ ୫ ଭାଇ ଅଟନ୍ତି। ତେବେ ଏହିଜମି ତାଙ୍କ ବାପା ଧୋବା ନାୟକ ଓ ଦାଦା ବଟୁ ନାୟକଙ୍କ ନାମରେ ରହିଛି। ଅନ୍ୟ ତିନି ଦାଦା ନବ ନାୟକ, କୁଷା ନାୟକ ଓ ଶିବା ନାୟକଙ୍କ ନାମରେ ପଟା ନାହିଁ। ତେଣୁ ଏହି ତିନି ଜଣ ରାଗ ରଖି ଏହି ବୋମାମାଡ଼ କରିଥିବା ସେ କହିଛନ୍ତି। ଗତ ୧୬ ତାରିଖ ଦିନ ହୋଇଥିବା ବୋମାମାଡ଼ ଘଟଣାରେ ମଧ୍ୟ ଏହି ତିନି ଦାଦାଙ୍କ ପରିବାରର ହାତ ରହିଥିବା ସେ କହିଛନ୍ତି। ସେମାନେ ସୁନିଲ ନାୟକକୁ ହାତ କରି ଏହି ବୋମାମାଡ଼ କରିଛନ୍ତି ବୋଲି ବାବୁଆ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଅଠରନଳାରେ ହୋଇଥିବା ବୋମାମାଡ଼ ଘଟଣାରେ ବାବୁଆଙ୍କ ଭାଇ ନୃସିଂହ ଓରଫ ପାପା ନାୟକ ଓ ତାଙ୍କ ପତ୍ନୀ ପ୍ରଭାତୀ ନାୟକ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ବୋମାମାଡ଼ର ପ୍ରତିଶୋଧ ନେବାକୁ ଯାଇ ନୃସିଂହଙ୍କ ପୁଅ ପାଣ୍ଡା ଓରଫ ସଞ୍ଜୟ ନାୟକ ଓ ଅନ୍ୟମାନେ ମିଶି ସୁନୀଲର ସହଯୋଗୀ ମୁକୁନ୍ଦ ମିଶ୍ର ନଗରରେ ରହୁଥିବା ଅଜିତ ସାମନ୍ତରାୟକୁ ହାଣି ଦେଇଥିଲେ। ସେ ମଧ୍ୟ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଏହି ଘଟଣାରେ ପୁଲିସ ସୁନୀଲର ସହଯୋଗୀ ଥେଣ୍ଟପୁରର ନିଲୁ ସ୍ବାଇଁକୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ମାତ୍ର ଏହି ବିବାଦ ଥମିନଥିଲା। ଆଜି ପୁନର୍ବାର ଏହି ବିବାଦ ଉଗ୍ରରୂପ ନେଇ ପୁଣି ୫ଟି ବୋମାମାଡ଼ ହୋଇଥିଲା। ତେଣୁ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାମାଡ଼ କିଏ କରିଛି, ସେନେଇ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/f4h56s4f56h4sf56h4fs564f5s6hhhhhhhhhhhhhhhh.jpg)