ପିପିଲି/ବଳଙ୍ଗା : ପିପିଲିର ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହ ଚାପା ଉତ୍ତେଜନା ଦେଖାଦେଇଛି।
ଅଭିଯୋଗ ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୨ଟା ବେଳେ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଶ୍ରୀ ପଟ୍ଟନାୟକଙ୍କ କମକନ୍ତିଆ ଗ୍ରାମସ୍ଥିତ ବାସଭବନକୁ ଲକ୍ଷ୍ୟ କରି ୨ରୁ ଅଧିକ ବୋମା ମାଡ଼ କରିଥିଲେ। ଏଥିରେ ଶ୍ରୀ ପଟ୍ଟନାୟକଙ୍କ ଘର ମୁଖ୍ୟ କବାଟ ଭାଙ୍ଗିଯିବା ସହ ଘର କାନ୍ଥ ଫାଟିଯାଇଛି। ବୋମା ମାଡ଼ ସମୟରେ ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ପରିବାର ଶୋଇଥିବା ବେଳେ ହଠାତ ଭୟଙ୍କର ଶବ୍ଦ ଶୁଣି ଉଠି ପଡ଼ିଥିଲେ। ଘରୁ ବାହାରିଲେ ରିକୁ (ଆଶ୍ରିତଙ୍କ ଡାକ ନାମ)କୁ ହତ୍ୟା କରିବୁ ବୋଲି ବାହାରେ ଚିତ୍କାର କରି ଦୁର୍ବୃତ୍ତମାନେ ଧମକ ଦେଇଥିବା ଆଶ୍ରିତ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣା ପରେ ଗାଁ ଲୋକେ ଉଠି ପଡ଼ିଥିଲେ। ଖବର ପାଇ ବଳଙ୍ଗା ଥାନା ପୁଲିସ ବି ଆସି ଗାଁରେ ପହଞ୍ଚିଥିଲା। ଅତିରିକ୍ତ ଏସ୍ପି ପ୍ରତାପ ସ୍ବାଇଁ, ବଳଙ୍ଗା ଥାନା ପୁଲିସ ଓ ପୁରୀରୁ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରୁ ବୋମାର ଟୁକୁରା ଅଂଶ, ସୁତୁଲି, ଚିପ୍ସ ଆଦି ଜବତ କରି ତଦନ୍ତ ଜାରି ରଖିଛନ୍ତି। ପ୍ରକାଶ ଥାଉକି, ୨୦୧୪ରେ ବି ଶ୍ରୀ ପଟ୍ଟନାୟକଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା।
ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ୭୨ ହଜାର ୭୩୨ ଭୋଟ୍ ପାଇ ବିଜେଡିର ପ୍ରଦୀପ ମହାରଥୀଙ୍କଠାରୁ ୧୫ ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ଭୋଟ୍ ଗଣତିର ଦିନକ ପରେ ତାଙ୍କ ଘର ଉପରକୁ ବୋମା ମାଡ଼ କରାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ରାଜନୀତିରୁ ତାଙ୍କୁ ହଟାଇବା ପାଇଁ ବିରୋଧୀଙ୍କର ଏହା ଏକ ଷଡ଼ଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ପରିବାର ପୁଲିସ ସୁରକ୍ଷା ଲୋଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bomb-f.jpg)