ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅଞ୍ଚଳରେ ଆଜି ଜଣେ ବସ୍ କର୍ମଚାରୀ ତାଙ୍କର ପୂର୍ବତନ ମାଲିକଙ୍କ ଘର ଉପରେ ବୋମାମାଡ଼ କରି ଗିରଫ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ବୋମାମାଡ଼ ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ପୁଲିସ ଅଧିକାରୀଙ୍କ ଉପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ବୋମା ମାଡ଼ କରିଥିଲେ। ତେବେ ଏଥିରୁ ପୁଲିସ ଅଧିକାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁଲିସ ଉପରକୁ ସେ ବୋମା ପକାଉଥିବାବେଳେ ଆଇଆଇସି ଦିଲୀପ କୁମାର ଧଳ ବୋମାଟିକୁ ଧରି ନେଇଥିଲେ। ଫଳରେ ଏକ ବଡ଼ଧରଣର ଦୁର୍ଘଟଣାରୁ ଆଇଆଇସି ଶ୍ରୀ ଧଳ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ର ବେହେରା ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସଞ୍ଜୟ କୁମାର ସୁକାରୀ ବିଲିପଡ଼ା ସାମିଲ ବଢ଼େଇକେରା ଗ୍ରାମର ସୁବାସ ଚନ୍ଦ୍ର ବରାଳଙ୍କ ବସ୍ରେ କାମ କରୁଥିଲେ। କୌଣସି କାରଣରୁ ବସ୍ ମାଲିକ ଶ୍ରୀ ବରାଳ ସଞ୍ଜୟଙ୍କୁ କାର୍ଯ୍ୟରୁ ବାହାର କରି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କର୍ମଚାରୀ ସଞ୍ଜୟ ବସ୍ ମାଲିକ ସୁବାସଙ୍କୁ ପୂର୍ବରୁ ଧମକ ଦେଇଥିଲେ ବୋଲି ବସ୍ ମାଲିକ ସୁବାସ ପ୍ରକାଶ କରିଥିଲେ। ଆଜି ଭୋର ସମୟରେ ସଞ୍ଜୟ ସୁବାସ ଚନ୍ଦ୍ର ବରାଳଙ୍କ ଘର ଉପରକୁ ୨ଟି ବୋମାମାଡ଼ କରିଥିଲେ। ଶ୍ରୀ ବରାଳ ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସତ୍ୟବାଦୀ ପୁଲିସ ଚଢ଼ାଉ କରିଥିଲା। କିନ୍ତୁ ସଞ୍ଜୟ ପୁଲିସ ଉପରକୁ ବୋମାମାଡ଼ କରି ଖସି ଯିବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତ ସଞ୍ଜୟ ନିକଟରୁ ପୁଲିସ ୩ଟି ଅଫୁଟା ବୋମା ଓ ଏକ ବନ୍ଧୁକ ଜବତ କରିଛି। ଏ ନେଇ ସତ୍ୟବାଦୀ ପୁଲିସ ମାମଲା ରୁଜୁ କରି ସଞ୍ଜୟଙ୍କୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/arrest-new-indian-express.jpg)