ଜଙ୍ଗଲରେ ଅବକାରୀ କର୍ମଚାରୀଙ୍କୁ ବୋମାମାଡ଼

ତିଗିରିଆ: କଟକ ଜିଲ୍ଲାର ଆଠଗଡ଼ ଉପଖଣ୍ଡର ଜଙ୍ଗଲ ଅଞ୍ଚଳରେ ଚାଲିଛି ଚୋରା ମଦ କାରଖାନା। ଦୀର୍ଘ ଦିନ ଧରି ଚାଲିଥିବା ଏହି କାରଖାନା ଉପରେ ଚଢଉ କରିବାକୁ ଯାଇ ଆଜି ଅବକାରୀ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ତିଗିରିଆ ବ୍ଲକ୍‌ ନିଜିଗଡ଼ ପଞ୍ଚାୟତ କରଡ଼ାପଲ୍ଲୀ ବାରମାଣବନ୍ଧ ନିକଟରେ ଚାଲିଥିବା ଏଭଳି ଏକ ଦେଶୀମଦ କାରଖାନା ଉପରେ ଆଜି ଅବକାରୀ କର୍ମଚାରୀ ଚଢ଼ଉ କରିବା ସମୟରେ ମାଫିଆମାନେ ଟେକାପଥର ଓ ପେଟ୍ରୋଲ୍‌ ବୋମା ମାଡ଼ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ସେଠାରୁ ବିପୁଳ ପରିମାଣର ଦେଶୀମଦ, ଗୁଡ଼ ପୋଚ ସହ ଦେଶୀ ବନ୍ଧୁକ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

ଅବକାରୀ ବିଭାଗର ସୂଚନା ମୁତାବକ, ତିଗିରିଆ ନିଜିଗଡ଼ସ୍ଥିତ କରଡ଼ାପଲ୍ଲୀ ଗ୍ରାମର ବାରମାଣ ବନ୍ଧ ନିକଟ ଜଙ୍ଗଲରେ ବେଆଇନ ଦେଶୀ ମଦ କାରଖାନା ସଂପର୍କରେ ସୂଚନା ପାଇ ଅବକାରୀ କମିସନର ଆଶିଷ ସିଂହ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନି‌ର୍ଦ୍ଦେଶରେ କଟକ ଜିଲ୍ଲା ଅବକାରୀ ବିଭାଗ ଉପ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ଉ କରିଥିଲେ। ଏହି ସମୟରେ କିଛି ମଦ ମାଫିଆ ଜଙ୍ଗଲରେ ଲୁଚି ରହି ସେମାନଙ୍କୁ ଗାଳିଗୁଲଜ କରିବା ସହ ଟେକାପଥର ମାଡ଼ କରିଥିଲେ। ଘଟଣା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଅବକାରୀ ଉପଅଧୀକ୍ଷକ ଶ୍ରୀ ପଟେଲ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର ଓ ତିଗିରିଆ ଥାନା ଆଇଆଇସି ବନବିହାରୀ ପ୍ରଧାନଙ୍କୁ ଖବର ଦେଇଥିଲେ। ତିଗିରିଆ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଆଲୋକ ରଞ୍ଜନ ରାୟ ଫୋର୍ସ ସହ ସେଠାରେ ପହଞ୍ଚି ଥିଲେ। ପୁଲିସ ଘଟଣାସ୍ଥଳରୁ ପ୍ରାୟ ୨୪ ହଜାର ଲିଟର ଗୁଡ଼ ପୋଚ, ୧ ହଜାର ୩୫୦ ଲିଟର ବେଆଇନ ଦେଶୀ ମଦ ସହ ଏକ ଦେଶୀ ବନ୍ଧୁକ ଏବଂ ବିପୁଳ ପରିମାଣର ମଦ ପ୍ରସ୍ତୁତି ପାଇଁ ସାମଗ୍ରୀ ଜବତ କରିଥିଲା। ଚଢ଼ଉ ପରେ କର୍ମଚାରୀମାନେ ଫେରୁଥିଲା ବେଳେ ଜଙ୍ଗଲ ଭିତରେ ଲୁଚି ରହିଥିବା ମଦ ମାଫିଆମାନେ ଅବକାରୀ ବିଭାଗ ଗାଡ଼ି ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗି ଥିଲେ। ବୋମାମାଡ଼ରେ ଅବକାରୀ ବିଭାଗର ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କର୍ମଚାରୀମାନେ ରକ୍ଷା ପାଇ ଯାଇଥି‌ଲେ।

ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଲିଖିତ ଅଭିଯୋଗ ପରେ ଏକ ମାମଲା (କେସ୍‌ ନଂ-୬୯/୨୧) ରୁଜୁ କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଏସ୍‌ଡିପିଓ ଶ୍ରୀ ରାୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚଢ଼ଉ ସମୟରେ ମାଜିଷ୍ଟ୍ରେଟ ଭାବେ ତିଗିରିଆ ତହସିଲଦାର ପ୍ରମୋଦ ବାସ୍କେ ଉପସ୍ଥିତ ଥିଲେ। କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସଞ୍ଜିତ ବାର୍ଲା, ଆଠଗଡ଼ ଅବକାରୀ ବିଭାଗ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀ, ଇନ୍ସପେକ୍ଟର ପ୍ରବୀର ସାମଲ, ଏସ୍‌ଆଇ ବିଜୟ ଭଞ୍ଜ, ଇନ୍ସପେକ୍ଟର ସରୋଜ ପରିଡ଼ା, ଏଏସ୍‌ଆଇ ଦେବାନନ୍ଦ ଭୂୟାଁଙ୍କ ସମେତ ବିଭାଗର କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଗତବର୍ଷ ତିଗିରିଆ ଅଞ୍ଚଳର ଏକ ମଦ କାରଖାନା ଉପରେ ଚଢ଼ଉ ସମୟରେ ଅବକାରୀ କର୍ମଚାରୀମାନେ ଅନୁରୂପ ଭାବେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର