ଖୋର୍ଧା : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆଜି ଭୋର ବେଳେ ଖୋର୍ଧା ଟାଉନ୍ ଥାନା ଅନ୍ତର୍ଗତ ଜେମାଦେଈରେ ରହୁଥିବା ସରକାରୀ ଓକିଲ(ଏପିପି) ସତ୍ୟକାମ ମହାପାତ୍ରଙ୍କ ଘରକୁ ଘନଘନ ବୋମା ମାଡ଼ ହୋଇଛି। ଏଥିରେ କେହି ଆହତ ହୋଇନଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଘର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ପୁଲିସ୍ ୨ ଜଣ ମହିଳାଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଆଜି ଓକିଲମାନେ ଆକ୍ରମଣର ପ୍ରତିବାରେ କୋର୍ଟ କାମ ଗୋଟିଏ ଦିନ ପାଇଁ ବନ୍ଦ କରିଛନ୍ତି।
ସୂଚନାନୁସାରେ, ଗତକାଲି ଏପିପି ଶ୍ରୀ ମହାପାତ୍ର ଏବଂ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ ରାତି ପ୍ରାୟ ୨ଟାରେ ତାଙ୍କ ଘରକୁ ୫ଟି ବୋମା ମାଡ଼ ହୋଇଥିଲା। ଏଥିରେ ତାଙ୍କ କବାଟ, ଝରକା, କାନ୍ଥ ଆଦି କ୍ଷତିଗ୍ରସ୍ତ ହୋଇଛି। ତେବେ ଶ୍ରୀ ମହାପାତ୍ର ଥାନାରେ ଦେଇଥିବା ଏତଲା ଅନୁସାରେ ତାଙ୍କ ପେଡ଼ାଶୀ ତାଙ୍କୁ ବୋମାରେ ଉଡ଼ାଇଦେବାକୁ ଧମକ ଦେଇଥିଲେ। ସେମାନେ ସୂରଜ ଦଳବେହେରା ନାମକ ଜଣେ ଯୁବକ ଦ୍ବାରା ଏହି ଆକ୍ରମଣ ଘଟାଇଛନ୍ତି। ଏତଲା ଭିତ୍ତିରେ ଖୋର୍ଧା ଶିଳ୍ପାଞ୍ଚଳ ଫାଣ୍ତି ଅଧିକାରୀ ସମିତା ମିଶ୍ର ସଦଳବଳ ଅନୁସନ୍ଧାନ କରି ଅପରାହ୍ଣରେ ସୁଚିତ୍ରା ମହାପାତ୍ର ଓ ମାନ୍ୟତା ସ୍ବାଇଁଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଅପରପକ୍ଷରେ, ଆଜି କୋର୍ଟ ଖୋଲିବା ପରେ ବୋମା ମାଡ଼ ଘଟଣାକୁ ପ୍ରତିବାଦ କରି ଖୋର୍ଧା ଓକିଲ ସଂଘ କିଛି ସମୟ କାମ ବନ୍ଦ କରିଥିଲେ। ଏହାପରେ ସଂଘର ଏକ ପ୍ରତିନିଧି ଦଳ ଖୋର୍ଧା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଓକିଲଙ୍କ ସୁରକ୍ଷା ଏବଂ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବିରେ ଏକ ସ୍ମାରକପତ୍ର ଦେଇଥିଲେ।