ପୁଲିସ ଫୋର୍ସ ଉପସ୍ଥିତିରେ ବୋମା ମାଡ, ଭାଙ୍ଗିଲା ଘର

ବ୍ରହ୍ମଗିରି : ଭଲିବଲ ଖେଳକୁ ନେଇ ଚାରି ଦିନ ତଳେ ଘଟିଥିବା ସଂଘର୍ଷରେ ଉତ୍ତେଜନା ଥମିବାର ନାଁ ନେଉନି। ଗତକାଲି ବିଳମ୍ବିତ ରାତିରେ ପୁଲିସ ଫୋର୍ସ ଉପସ୍ଥିତିରେ ପୁଣି ବୋମା ମାଡ ହୋଇଛି। ବୋମା ମାଡରେ ଗୋଟିଏ ଘରର ଝରକା ଓ କବାଟ ଭାଙ୍ଗିଛି। ଘରେ ଥିବା ଲୋକେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଚାରି ଦିନ ତଳେ ଭଲିବଲ ଖେଳକୁ ନେଇ ସାତପଡାଗଡ ଓ ଗମ୍ଭରୀର କିଛି ଯୁବକଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏହା ପରେ ସାତପଡା ଫାଣ୍ଡି ସାତପଡା କଲେଜ ଛକ ନିକଟରେ ବୋମା ମାଡ ହୋଇଥିଲା। ପୁଣି ତା’ ପର ଦିନ ଦୁଇଟି ବୋମା ମାଡ ହୋଇଥିଲା। ଏଥିରେ ସାତପଡାଗଡର ଜଣେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉତ୍ତେଜନା କାରଣରୁ ସାତପଡା ଫାଣ୍ଡି ଗୁରୁବାଇ ଓ ଚଣ୍ଡିଖୋଲ ଛକଠାରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ରାତିରେ ସାତପଡାଗଡ ଛକଠାରେ ଘର କରି ରହିଥିବା ସାତପଡାଗଡ ଗାଁର ରାଜୁ ଜେନାଙ୍କ ଘର ଉପରକୁ କେହି ବୋମା ମାଡ କରିଥିଲା। ତିନିରୁ ଚାରୋଟି ବୋମା ମାଡ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବୋମା ମାଡରେ ରାଜୁଙ୍କ ଘର ଝରକା ଓ କବାଟ ଭାଙ୍ଗି ଯାଇଛି। ଏ ନେଇ ସାତପଡା ଫାଣ୍ଡି ଅଧିକାରୀ ପଦ୍ମଚରଣ ଭଟ୍ଟଙ୍କୁ ପଚାରିବାରୁ ସେ କହିଥିଲେ ଯେ ଘର ଉପରେ ବୋମା ମାଡ ହୋଇଛି। ବୋମାରେ ବ୍ୟବହୃତ ସୁତୁଲି, ଗୋଡି ଓ କଣ୍ଟାକୁ ଜବତ କରାଯାଇଛି। ବୋମା ମାଡରେ ରାଜୁଙ୍କ ଘର ଝରକା ଓ କବାଟ ଭାଙ୍ଗିଛି। ପୁଲିସ ସଜାଗ ଥିବା ବେଳେ କିଭଳି ବୋମା ମାଡ ହେଲା ତାର ତଦନ୍ତ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର