ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମରେ ଆରମ୍ଭ ହୋଇଯାଇଛି ରାଜନୈତିକ ଛକାପଞ୍ଝା, ହିଂସାକାଣ୍ଡ। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଦୁଇ ବାସଭବନ ଉପରକୁ ପଥର ଓ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏକାସାଙ୍ଗରେ ତିନି ତିନିଟି ସ୍ଥାନରେ ସିରିଜ୍‌ ଆକ୍ରମଣ ହୋଇଥିବାବେଳେ ବିଧାୟିକା ଅନୁପସ୍ଥିତ ଥିବାରୁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ତେବେ, ସେମାନଙ୍କ ସମର୍ଥକଙ୍କୁ ଗୋଡ଼ାଇ ହାଣିବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ପୂର୍ବତନ ବିଧାୟିକା ଖଲ୍ଲିକୋଟ ରାଣୀସାହେବା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଜୟନ୍ତୀ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ବ୍ୟସ୍ତଥିଲେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ତାଙ୍କ ସ୍ୱାମୀ ଦୈତାରୀ ବେହେରା । ଠିକ୍ ସେହି ସମୟ ଅର୍ଥାତ୍‌ ଅପରାହ୍‌ଣ ପ୍ରାୟ ୪ଟାରୁ ସାଢ଼େ ୪ଟା ସମୟରେ ୩ ଟି ବାଇକ୍‌ରେ ୯ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ବିଧାୟିକାଙ୍କ ଘର ଉପରେ ହମ୍‌ଲା କରିଥିଲେ। ପ୍ରଥମେ, ବିଧାୟିକାଙ୍କ ବ୍ଲକ୍ କାର୍ଯ୍ୟାଳୟ ନିକଟ ବାସଭବନ ଉପରେ ପଥରମାଡ଼ କରିଥିଲେ। ଫାଟକ ଖୋଲି ଭିତରେ ପଶି ହଙ୍ଗାମା କରିବା ସହ କାହାକୁ ନପାଇ ଘର ଆଗରେ ଥିବା ୨ ଗୋଟି ବାଇକ୍‌କୁ ଖଣ୍ଡାରେ ହାଣି ନଷ୍ଟ କରିଥିଲେ। ସେଇ ସମାନ ସମୟରେ ଆଉ କିଛି ଦୁର୍ବୃତ୍ତ ସମାନ୍ତରାଳ ଭାବେ ବିଧାୟିକାଙ୍କ କେଶପୁରପାଟଣା ଗ୍ରାମରେ ଥିବା ନୂଆ ବାସଭବନ ଆଗରେ ୪ଟି ବୋମା ଫିଙ୍ଗିବା ସହ ଗ୍ରାମରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲେ। ଏତିକିରେ ସେମାନଙ୍କର ରାଗ ଥମିନଥିଲା। ବିଧାୟିକାଙ୍କ ସମର୍ଥକ ମୋହନ ମଲ୍ଲିକ(୫୦)ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ମୋହନଙ୍କୁ ମାଡ଼ମାରି ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଦେଇଥିଲେ। ସେହିପରି ସୀମାଞ୍ଚଳ ବେହେରା (୨୦) ନାମକ ଜଣେ ସମର୍ଥକ ରମ୍ଭା ଅଭିମୁଖେ ଯାଉଥିବାବେଳେ ତାଙ୍କୁ ରାସ୍ତାରେ ପିଛା କରି ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ‌ବୋମାମାଡ଼ ପରେ ଗ୍ରାମବାସୀ ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିବା ପାଇଁ ସାହସ କରିପାରିନଥିଲେ।

ଏହାପରେ, ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ବିଧାୟିକାଙ୍କ କେଶପୁରପାଟଣା ସ୍ଥିତ ବାସଭବନରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବା ସହ ପରିସ୍ଥିତି ଉପରେ ପୁଲିସ କଡ଼ା ନଜର ରଖିଛି।

ଘଟଣା ସମ୍ପର୍କରେ ସ୍ଥାନୀୟଲୋକଙ୍କ କହିବାନୁସାରେ, ଗତ ବିଧାନସଭା ନିର୍ବାଚନ ପରଠାରୁ ଗ୍ରାମର ଶ୍ମଶାନ ଜମି ଓ ହନୁମାନ ମନ୍ଦିର ଜମିକୁ ନେଇ କଳହ ଲାଗି ରହିଥିଲା। ଏହା ପୁଲିସ, ତହସିଲଦାର ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହାକୁ ରାଜନୈତିକ ରୂପ ଦିଆଯିବା ସହ ଗ୍ରାମରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଥିଲା। ଏହାକୁ ନେଇ ଗତ ଦୁଇଦିନ ତଳେ ପୁଣି ଗ୍ରାମରେ ଗଣ୍ଡଗୋଳ ଘଟିଥିଲା, ‌େଯଉଁଥିରେ ୩ ଜଣ ଆହତ ହୋଇଥିଲେ। ଘଟଣା ପରେ ବିଧାୟିକାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଏତଲା ହୋଇଥିଲା। ଏ ନେଇ ପୁଲିସ ତିନିଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାକୁ ନେଇ ଭିତରେ ଭିତରେ ଚାପା ଉତ୍ତେଜନା ଲାଗି ରହିଥିଲା। ଆଜିର ଆକ୍ରମଣ ଏହାର ହିଂସାତ୍ମକ ପ୍ରତିକ୍ରିୟା ବୋଲି ସେମାନେ କହିଛନ୍ତି।