ପୁଲିସ ଉପରକୁ ବୋମାମାଡ଼ କରି ଯୁବକ ଫେରାର, କନେଷ୍ଟବଳ ଆହତ

କଟକ: କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ ପୁଲିସ ଉପରକୁ ବୋମାମାଡ଼ ହୋଇଥିବାର ଖବର ମିଳିଛି। ଏଥିରେ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ତେବେ ଅଭିଯୁକ୍ତ ପୁଲିସ୍ ହାତରୁ ଖସିଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ୍ ସଂଯୋଗ ଲାଗି ଟାୱାର ଲାଇନ୍ ଟଣା ହେଉଥିବା ବେଳେ ଯେଉଁମାନଙ୍କ ଜମି ଉପର ଦେଇ ତାର ଯାଉଥିଲା, ସେହି ଚାଷୀମାନେ କ୍ଷତିପୂରଣ ମାଗିଥିଲେ। କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବା ଯୋଗୁ ଉତ୍ତେଜନା ଦେଖା ଦେଇଥିଲା।

ଆଜି ପୁଣି ପୁଲିସ୍ ଉପସ୍ଥିତିରେ ତାର ଟଣା ଯାଉଥିବା ବେଳେ ଜଣେ ଯୁବକ ପୁଲିସ୍ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ଜଣେ କନେଷ୍ଟବଳ ଆହତ ହୋଇଥିଲେ। ବୋମାମାଡ଼ କରିଥିବା ଯୁବକ ନିଜ ହାତରେ ବୋମା ଅଛି ଓ ପାଖକୁ ଆସିଲେ ତାକୁ ଫିଙ୍ଗିବି ବୋଲି ଧମକ ଦେଇ ପୁଲିସ୍ ପାଖରୁ ଖସିପଳାଇଥିଲା । ଏହି ଘଟଣା ପରେ ସେଠାରେ ୨ ପ୍ଲାଟୁନ୍ ପୁଲିସ୍ ପହଞ୍ଚିଥିବା ଜଣାଯାଇଛି। ସେମାନଙ୍କ ସହ ଚୌଦ୍ୱାର ଏସ୍ଡିପିଓ ଓ ଆଇଆଇସି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଚାଷୀମାନଙ୍କୁ ବୁଝାଶୁଝା କରୁଛନ୍ତି।

ସମ୍ବନ୍ଧିତ ଖବର