ସାଲେପୁର : ସାଲେପୁର ବ୍ଲକ୍ ଅନ୍ତର୍ଗତ ଶିଶୁଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡି ନେତା ଓ ବ୍ଲକ୍ ଆତ୍ମା ସଭାପତି ଦିଲ୍ଲୀପ ଦାଶଙ୍କ ଘରକୁ ଉପରକୁ ଆଜି ରାତିରେ ବୋମା ମାଡ଼ ହୋଇଛି। ଝରକାରେ ମାଡ଼ ହୋଇ ଘର ଭିତରେ ବୋମା ବିସ୍ଫୋରଣ ହେବାରୁ ଦିଲ୍ଲୀପଙ୍କ ଶିକ୍ଷୟିତ୍ରୀ ପତ୍ନୀ ନିରୁପମା ପତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।
ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ଗୋଟିଏ ବାଇକ୍ରେ ଦୁଇଜଣ ଦୁର୍ବୃତ୍ତ ସାଲେପୁର ଥାନା ଅନ୍ତର୍ଗତ ସପନପୁର ଗ୍ରାମରେ ପହଞ୍ଚି ଶିଶୁଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘରକୁ ଲକ୍ଷ୍ୟ କରି ଲାଗ୍ ଲାଗ୍ ଦୁଇଟି ବୋମା ଫିଙ୍ଗିଥିଲେ। ପ୍ରଥମ ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ଦିଲ୍ଲୀପଙ୍କ ପତ୍ନୀ ନିରୁପମା ଝରକା ଖୋଲି ଦେଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଝରକା ଉପରକୁ ଦ୍ବିତୀୟ ବୋମା ଫିଙ୍ଗିଥିଲେ। ବୋମାମାଡ଼ରେ ନିରୁପମାଙ୍କ ମୁହଁ ଖଣ୍ଡିଆଖାବରା ହୋଇଯାଇଥିଲା ବେଳେ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି। ଏଥିସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ବୋମାର କାଚ ପଶିଯାଇଛି। ପରିବାରବର୍ଗ ଓ ସ୍ଥାନୀୟ ଲୋକମାନେ ନିରୁପମାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏକ କାର୍ରେ ସାଲେପୁର ଡାକ୍ତରଖାନାକୁ ନେଇଥିଲେ। ଖବର ଲେଖାଯିବା ବେଳକୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଚାଲିଥିବା ଏବଂ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ରାଜନୈତିକ ଶତ୍ରୁତାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବୋମାମାଡ଼ ପରେ ସପନପୁର ଗ୍ରାମ ସମେତ ସମଗ୍ର ଶିଶୁଆ ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/bomb-blast-story-fb_647_030816_1200x768.jpeg)