ପୁରୀ : ଦୋକାନ ଉପରକୁ ବୋମାମାଡ଼, ଦୋକାନୀ ଆହତ, ଜଣେ ଅଟକ

ପୁରୀ : ଆଜି ଦିନ ଦ୍ବିପ୍ରହରରେ ଚନ୍ଦନପୁର ଥାନା ପଛପଟେ ଥିବା ଏକ ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଖବର ପାଇ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣକୁ ଧରିଆଣି ଥାନାରେ ଅଟକ ରଖିଛି। ଏ ସଂକ୍ରାନ୍ତରେ ଚନ୍ଦନପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଚନ୍ଦନପୁର ଥାନା ପଛପଟେ ଥିବା ମା’ ପଦ୍ମାବତୀ ଲେଡିସ୍‌ କର୍ଣ୍ଣର ଉପରକୁ ଆଜି ତିନୋଟି ବୋମାମାଡ଼ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ସେଠାରେ ପ୍ରଥମେ ଲୋକମାନେ ଭୟଭୀତ ହୋଇ ଦୌଡ଼ାଦୌଡ଼ି କରିଥିଲେ। ଏହି ବୋମାମାଡ଼ରେ ଦୋକାନ ମାଲିକ ବାଦଲ ରାଉଳ ଆହତ ହୋଇଛନ୍ତି।

ବୋମାମାଡ଼ କରିବା ଅଭିଯୋଗରେ ଲୋକେ ଦାସଗୋବାର ଆଲୋକ ଦାସ ନାମକ ଜଣେ ଯୁବକଙ୍କୁ ଅଟକାଇ ରଖିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଅଭିଯୁକ୍ତଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ। ଏନେଇ ଦୋକାନ ମାଲିକ ବାଦଲ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଦଲ ଅଭିଯୋଗ କରିଛନ୍ତି ଯେ ପୂର୍ବ ବିବାଦକୁ ନେଇ ଏହି ବୋମାମାଡ଼ ହୋଇଛି। ବିନା କାରଣରେ ଥେଣ୍ଟପୁରର ନିଲୁ ବରାଳ ତାଙ୍କ ଉପରେ ରାଗ ରଖି ସର୍ବଦା ଆକ୍ରମଣ କରିବା ପାଇଁ ଧମକ ଦେଉଥିଲା। ଏପରିକି କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ଛକରେ ମଧ୍ୟ ଆକ୍ରମଣ କରିବା ଅଭିଯୋଗରେ ନିଲୁ ଜେଲ ମଧ୍ୟ ଯାଇଥିଲା। ଏବେ ଜେଲରୁ ଫେରିବା ପରେ ବାଦଲ ଉପରେ ପ୍ରତିଶୋଧ ନେବାକୁ ଆଜି ବୋମାମାଡ଼ କରିଛି। ନିଲୁକୁ କାପ୍ତେଶ୍ବରର ଚନ୍ଦନ ମଳିକ ଓ ଆଲୋକ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଦିନ ତିନିଟା ସମୟରେ ବାଦଲ ଦୋକାନରେ ବସିଥିବା ବେଳେ ନିଲୁ ଦୁଇଟି ବୋମାମାଡ଼ କରିଥିଲା। ବାଦଲଙ୍କର ଦୋକାନର ଜିନିଷପତ୍ର ଭାଙ୍ଗିରୁଜି ଯାଇଥିଲା। ବାଦଲ ମଧ୍ୟ ଏହି ବୋମାମାଡ଼ରେ ଆହତ ହୋଇଛନ୍ତି। ସେଠାରୁ ସେମାନେ ଖସିଯାଉଥିବା ବେଳେ ବ୍ରିଜ୍‌ ନିକଟରେ ଜଣେ ଅଟକାଇବାକୁ ଚେଷ୍ଟା କରିବାରେ ସେଠାରେ ମଧ୍ୟ ଗୋଟିଏ ବୋମାମାଡ଼ କରି ନିଲୁ ଖସିଯାଇଥିଲା। ଅନ୍ୟପଟେ ଏହି ଘଟଣାର ମାଷ୍ଟରମାଇଣ୍ଡ ଭାବେ ଆଲୋକକୁ ସ୍ଥାନୀୟ ଲୋକମାନେ ଧରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର