ସୁନ୍ଦରଗଡ଼: ମଙ୍ଗଳବାର ଅପରାହ୍ନ ୫ଟାରେ ସଦରଥାନା ସୁବଲୟା ମୁସଲିମ ବସ୍ତିରେ ବମ୍ ଫୁଟି ଜଣେ ୧୦ ବର୍ଷର ପୁଅର ପାଦ ଛିଣ୍ଡି ଯାଇଛି। ତାଙ୍କୁ ପରିବାର ଓ ପଡ଼ୋଶୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆହତ ବାଳକ ହେଲେ ମୁସଲିମ ବସ୍ତିର ସବିନା ଖାତୁନଙ୍କ ପୁଅ ମହମ୍ମଦ ତେଗି ଅଲ୍ଲୀ। ୫ଟାରେ ତେଗି ଅଲ୍ଲୀ ଭାଇ ସହ ଘର ଅଗଣାରେ ଫୁଟବଲ ଖେଳୁଥିଲେ। ଏହି ସମୟରେ ହଠାତ ତାଙ୍କ ପାଦ ତଳେ ବିସ୍ଫୋରଣ ହେଲା। ସାର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ବାଳକ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଶବ୍ଦ ଶୁଣି ଘର ଲୋକେ ଦୌଡ଼ି ଆସିଲା ବେଳକୁ ବାଳକର ପାଦ ଛିଣ୍ଡି ଯାଇଥିବା ଦେଖିବାକୁ ପାଇଥିଲେ। ପାଦ ତଳେ ହାତ ତିଆରି ବମ୍ ଫାଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବୋମାର ଟୁକୁଡ଼ା ମଧ୍ୟ ପଡ଼ିଛି। ତେବେ କେଉଁଠୁ, କେଉଁ ସ୍ଥିତିରେ ଘର ଅଗଣାକୁ ବୋମାଟି ଆସିଲା, ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବାରହା ମାରିବାକୁ କେହି ବୋମାଟି ତିଆରି କରି ନେଉଥିବା ବେଳେ ସେଠାରେ ପଡ଼ି ଯାଇଥାଇପାରେ ବୋଲି କୁହାଯାଉଛି। ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମା କେଉଁଠି ଆସିଲା ତାର ତଦନ୍ତ ଆରମ୍ଭ କରିଛି।
ଫୁଟିଲା ବୋମା, ଛିଣ୍ଡିଗଲା ୧୦ ବର୍ଷ ପୁଅର ପାଦ
/sambad/media/post_attachments/wp-content/uploads/2023/01/sundargarh.jpg)
/sambad/media/agency_attachments/2024-07-24t043029592z-sambad-original.webp)