ଯାଜପୁର/କବାଟବନ୍ଧ : ଜେନାପୁର ଥାନା ବିସ୍ଫୋରଣ ଘଟଣାରେ ପୁଲିସ ଠିକ୍‌ ତଥ୍ୟ ଦେଉନାହିଁ। ସାଧାରଣ ଜନତାଙ୍କ ଭୁଆଁ ବୁଲାଇଚାଲିଛି। ଗତକାଲି ଘଟଣାକୁ ହାଲ୍‌କା ଭାବେ ନେଇ ବାଣ ବିସ୍ଫୋରଣ ହୋଇଥିବା କହିଥିଲା ବେଳେ ଆଜି ବୟାନ ବଦଳାଇ ବୋମା ବିସ୍ଫୋରଣ ହୋଇଛି ବୋଲି ସ୍ପଷ୍ଟ କରିଛି। ତେବେ ଏହି ବୋମା ଆସିଲା କେଉଁଠି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୋମା ଥାନାରେ ରଖାଯାଇଥିଲା, ନା ବାହାରୁ କେହିଁ ଫିଙ୍ଗିଥିଲା, ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ। ଅନ୍ୟପଟେ ଥାନା ଅଧିକାରୀ ଘଟଣାକୁ ନେଇ ମୁହଁ ଲଚାଇ ଚାହିଛନ୍ତି। ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ହେଁ ପାଟି ଖୋଲି ନାହାନ୍ତି। ଅନ୍ୟପଟେ ଆଜି ସଂଧ୍ୟାରେ ଏସ୍‌ଡିପିଓ ଯୁଗଳକିଶୋର ଦାସ ଜେନାପୁର ଥାନାକୁ ଯାଇ ପରିସ୍ଥିତିକୁ ଦେଖିଛନ୍ତି। ତଦନ୍ତ କରି ଫେରିଛନ୍ତି।

Advertisment

ଥାନାରେ ବୋମା ବିସ୍ଫୋରଣ ଘଟଣା ଜିଲ୍ଲାରେଏହା ପ୍ରଥମ। ଯାହାକୁ ନେଇ ଉଚ୍ଚ ପୁଲିସ୍‌ ଅଧିକାରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜନସାଧାରଣଙ୍କୁ ସୁରକ୍ଷା ଦେବାକୁ ରହିଥିବା ଥାନାରେ ବୋମା ବିସ୍ଫୋରଣ ଘଟଣା ପୁଲିସ ବିଭାଗ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷ ଭାବେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଭ୍ରାନ୍ତ କରିବାକୁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କାହିଁକି ଉଦ୍ୟମ କରିଥିଲେ? ସେ ନେଇ ସାଧାରଣରେ ଯେତିକି ସନ୍ଦେହ ପ୍ରକାଶ ପାଇଛି। ଉଚ୍ଚ ପଦାଧିକାରୀଙ୍କୁ ଅଧିକ ବିସ୍ମିତ କରିଛି।

ବିସ୍ଫୋରଣରେ ହୋମଗାର୍ଡ (ଡ୍ରାଇଭର) ପ୍ରକାଶ କୁମାର ସାହୁ ଓରଫ ବିପିନଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଦୁଇ କିଲୋମିଟର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରିତ ହୋଇଥିବା ଘଟଣା ଉପରେ ଉଚ୍ଚ ପଦାଧିକାରୀ ମୁହଁ ଖୋଲୁ ନାହାଁନ୍ତି। ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଗତକାଲି ଠାରୁ ଗୁରୁତର ହୋମଗାର୍ଡଙ୍କ ସହ ମେଡିକାଲ ଯାଇଛନ୍ତି। ଥାନାକୁ ଫେରିନାହାନ୍ତି।

ଅନ୍ୟ ଅଧିକାରୀ କାଳୀପୂଜା ଭସାଣିକୁ ଯାଇଛନ୍ତି। ଥାନାରେ ଜଣେ ଏଏସ୍‌ଆଇ ଓ ୪/୫ ଜଣ କନେଷ୍ଟବଳ ଭୟଭୀତ ଅବସ୍ଥାରେ ଅଛନ୍ତି। ଥାନାରେ ବୋମା ବିସ୍ଫୋରଣ ଘଟଣାକୁ ଏଏସ୍‌ଆଇ ଯୋଗୀନାଥ ବେହେରା ସ୍ୱୀକାର କରିବା ସହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିି। ଏଏସ୍‌ଆଇଙ୍କ ସୂଚନା ଅନୁସାରେ ଏହା ଯଦି ବୋମା! ତାହେଲେ ତାକୁ ଫିଙ୍ଗିଲା କିଏ? ନା ପୂର୍ବରୁ ଥାନା ନିକଟରେ ବୋମା ରଖାଯାଇଥିଲା! ଯଦି ରଖାଯାଇଥିଲା ରଖିଲା କିଏ? ବୋମାକୁ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଥାନା ପରିସରରେ ଜବତ ହୋଇଥିବା ହଜାର ହଜାର ଟଙ୍କାର ବାଣ ଅସୁରକ୍ଷିତ ଅବସ୍ଥାରେ ଏଣେତେଣେ ପଡିଥିବା ଆଜି ଦେଖାଯାଇଛି।

ଶେଷ ଖବର ଅନୁଯାୟୀ ଆଜି ସଂଧ୍ୟାରେ ଏସ୍‌ଡିପିଓ ଯୁଗଳ କିଶୋର ଦାସ ଜେନାପୁର ଥାନାକୁ ଆସି ବିସ୍ଫୋରଣ ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ପୁଲିସ କହୁଛି ଗୁରୁତର ହୋମଗାର୍ଡ ବିପିନ୍‌ ବୟାନ ଦେଇଛି ଯେ ସେ ଅଳିଆରେ ନିଆଁ ଲଗାଇବାକୁ ଯାଉଥିବା ବେଳେ ବିସ୍ଫୋରଣ ହେଲା। ଏଥିରୁ ସ୍ପଷ୍ଟ ସେ ନିଅାଁ ଲଗାଇବା ପୂର୍ବରୁ ବିସ୍ଫୋରଣ ହୋଇଛି। ଅଧିକାରୀ ଘଟଣାର ସ୍ପଷ୍ଟ ଚିତ୍ର ପ୍ରଦାନ ନକରି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି କାହିଁକି! ଯଦି ଏହା ଅପରାଧୀମାନଙ୍କର କାର୍ଯ୍ୟକଳାପ ହୋଇଥାଏ, ସେମାନଙ୍କୁ ଖସିଯିବା ପାଇଁ ସହଜ ହୋଇଯିବ ବୋଲି ଆଲୋଚନା ହେଉଛି। ଜେନାପୁର ଥାନା ଅଧୀନରେ ଥିବା ବେଆଇନ ଶହ ଶହ କ୍ରସର ଓ ବେଆଇନ୍‌ ଖାଦାନ କାରବାରକୁ ନିୟନ୍ତ୍ରଣ କରୁଥିବା ପଥର ମାଫିଆଙ୍କ ସହିତ ସଂପର୍କ ସଂପର୍କରେ ଉଚ୍ଚ ପଦାଧିକାରୀଙ୍କ ଟିମ୍‌ ଦ୍ଵାରା ଅନୁସନ୍ଧାନ କରାଗଲେ ବହୁ ରହସ୍ୟ ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।