ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗରଗ୍ରାମରେ ବୋମାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବେଗୁନିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୋମାମାଡ଼ କରି ଫେରାର ହୋଇଯାଇଥିବା ଯୁବକର ସନ୍ଧାନ ମିଳି ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯ଟାରେ ଡିଙ୍ଗରଗ୍ରାମ ଆଦିବାସୀ ସାହିରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ପ୍ରାଣ ହରାଇଥିବା ଯୁବକ ଜଣକ ହେଲେ ଗ୍ରାମର ସନ୍ତୋଷ ପାତ୍ର। ସନ୍ତୋଷ ଜଣେ ଅଟୋଚାଳକ। ସବୁ ଦିନ ଭଳି ଅଟୋ ଚଳାଇ ସାରି ଘରକୁ ଫେରିବା ବେଳେ ଗାଁ ମୁଣ୍ଡରେ ତାଙ୍କ ଉପରେ ବୋମା ମାଡ଼ ହୋଇଥିଲା। ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ। ସେହି ଗାଁର ପ୍ରତାପ ସ୍ବାଇଁ ନାମକ ଯୁବକ ବୋମା ମାଡ଼ କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବୋମାମାଡ଼ର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହି ବୋମାମାଡ଼ ଘଟିଥିବା ପୁଲିସ ଅନୁମାନ କରୁଛି। ସନ୍ତୋଷ ଅଟୋ ଚଳାଇ ଗୁଜରାଣ ମେଣ୍ଟାଉଥିବାବେଳେ ବୋମାମାଡ଼ କରିଥିବା ପ୍ରତାପ ଜଣେ ଦିନ ମଜୁରିଆ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ଥିଲା ବୋଲି ଜଣାପଡ଼ିଛି। ଏପରିକି ବର୍ଷକ ତଳେ ଦୁଇ ଜଣଙ୍କ ମଧ୍ୟରେ ଉପୁଜିଥିବା ଏକ ବିବାଦକୁ ନେଇ ମାମଲା ହେବା ପରେ ଥାନାରେ ଏହାର ସମାଧାନ ହୋଇଥିଲା। ବୋମା ପକାଇ ସାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତାପକୁ ଖୋଜିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପ୍ରତାପ ରହୁଥିବା ଘରେ ତାଲା ପଡ଼ିଥିବା ପୁଲିସ ଦେଖିବାକୁ ପାଇଛି। ଅନ୍ୟପକ୍ଷରେ ସନ୍ତୋଷର ମୃତ ଦେହକୁ ବ୍ୟବଚ୍ଚେଦ ପାଇଁ ପୁଲି ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ବୋମା ମାଡ଼ରେ ଅଟୋ ଚାଳକ ମୃତ
/sambad/media/post_attachments/wp-content/uploads/2019/05/blast-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)