ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : ହାତରେ ବୋମା ଫୁଟି ଦୁର୍ଦ୍ଦାନ୍ତ ଚେରୁ ଗୁରୁତର, ପାଣ୍ଡା ଓ ଅନ୍ୟ ସହଯୋଗୀ ଫେରାର୍

ଦିଗପହଣ୍ତି/ କୁକୁଡ଼ାଖଣ୍ଡି : ବ୍ରହ୍ମପୁର ସଦର ଇଲାକା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମରେ ଲାଠି ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଚେରୁ ଗୌଡ଼ ନିଜ ହାତରେ ବୋମା ଫୁଟି ଗୁରୁତର ଆହତ ହୋଇଛି। ଗତକାଲି ରାତିରେ ଚେରୁ ତା’ର ପଲଟଣ ଧରି ଆତଙ୍କରାଜ୍ ଖେଳାଇଥିଲା। ଗାଁ ଲୋକଙ୍କୁ ଭୟଭୀତ କରିବା ସହ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ବୋମା ମାଡ଼ କରି ହତ୍ୟା ଉଦ୍ୟମ କରିଥିଲା। ତେବେ ଅସାବଧାନତା ବଶତଃ ନିଜେ ଧରିଥିବା ବୋମା ଚେରୁର ହାତରେ ହିଁ ଫୁଟିଯିବାରୁ ସେ ଗୁରୁତର ଆହତ ହୋଇଥିଲା। ତାକୁ ବ୍ରହ୍ମପୁର ବଡ଼ ମେଡିକାଲରୁ କଟକ ସ୍ଥାନାନ୍ତର କରାଯାଇଛି। ସରପଞ୍ଚ ପ୍ରଶାନ୍ତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ କେସ ନମ୍ବର ୧୦୯ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପାଣ୍ଡା ଗୌଡ଼ ସମେତ ଚେରୁର କିଛି ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ଚେରୁର ଡାହାଣ ହାତ ପାପୁଲି ସହ ଡେଣା ଗୁରୁତର ଆଘାତପ୍ରାପ୍ତ ହୋଇଥିବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଗତକାଲି ସନ୍ଧ୍ୟାରେ ଚେରୁ ତା’ର ସହଯୋଗୀମାନଙ୍କ ସହ ବନ୍ଥପଲ୍ଲୀ ଗ୍ରାମକୁ ଆସିଥିଲା। ଗାଁର ମୁଖ୍ୟ ରାସ୍ତା ଉପରେ ବାଇକ୍ ରଖି ମାରଣାସ୍ତ୍ର ଓ‌ ବୋମା ଧରି ସେମାନେ ଲୋକଙ୍କୁ ଭୟଭୀତ କରିଥିଲେ। ସେହି ରାସ୍ତା ଦେଇ ଯିଏ ଯାଉଥିଲା ସେମାନଙ୍କୁ ଗାଳିଗୁଲଜ ବି କରୁଥିଲେ। ଶେଷ‌ରେ ଭୟଭୀତ ଲୋକେ ଏନେଇ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ଜଣାଇଥିଲେ। ପ୍ରଶାନ୍ତ ସେଠାରେ ପହଞ୍ଚି ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିବା ସହ ସ୍ଥାନ ଛାଡ଼ି ପଳାଇବାକୁ କହିଥିଲେ। କିଛି ସମୟ ଯୁକ୍ତି ହେବା ପରେ ଚେରୁ ଓ ତା’ର ସହଯୋଗୀମାନେ ସେଠୁ ପଳାଇଥିଲେ। ତେବେ ପୁଣି ସେମାନେ ଫେରି ଆସିଥିଲେ। ସରପଞ୍ଚ ପ୍ରଶାନ୍ତ ପୋଖରୀରୁ ଶୌଚ ସାରି ଫେରୁଥିବା ବେଳେ ତାଙ୍କୁ ଲକ୍ଷ୍ୟ କରି ଚେରୁ ବୋମା ଫୋପାଡ଼ିବାକୁ ଚେଷ୍ଟା କରିଥିଲା। କିନ୍ତୁ ବୋମାଟି ଚେରୁର ଡାହାଣ ହାତରେ ହଠାତ୍ ଫୁଟିଯିବା ସହ ପାଖରେ ଥିବା ଅନ୍ୟ ଚାରିଟି ବୋମା ବି ବିସ୍ଫୋରଣ ହୋଇଥିଲା। ଫଳରେ ତା’ର ଡାହାଣ ହାତର ପାପୁଲି ଖଣ୍ତବିଖଣ୍ତିତ ହୋଇଯାଇଥିଲା। ସରପଞ୍ଚ ପ୍ରଶାନ୍ତ ଏଥିରୁ ବର୍ତ୍ତିଯାଇଥିବା ବେଳେ ଚେରୁର ସହଯୋଗୀ ପାଣ୍ଡା ସମେତ ଅନ୍ୟ ଦୁର୍ବୃତ୍ତ ମାନେ ଫେରାର୍ ହୋଇଯାଇଥିଲେ। ପୁଲିସ ପହଞ୍ଚି ଆମ୍ବୁଲାନସରେ ଚେରୁକୁ ବ୍ରହ୍ମପୁର ବଡ଼ମେଡିକାଲ‌ ଆଣିଥିଲା। ପ୍ରାଥମିକ ଚିକିତ୍ସା ପରେ ତା’କୁ କଟକ ପଠାଇ ଦିଆଯାଇଛି। ତଦନ୍ତ ଜାରି ରହିଥିବା ନେଇ ଦିଗପହଣ୍ଡି ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଚେରୁ ଗୌଡ଼ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ତା’ ବିରୋଧରେ ଏକାଧିକ ସଙ୍ଗିନ୍ ମାମଲା ରହିଛି। ଚେରୁ ପୂର୍ବରୁ ପୁଲିସ ଏନ୍‌କାଉଣ୍ଟର୍‌ରେ ଆହତ ହୋଇ ଜେଲ୍‌ ଯାଇଥିଲା। ଜାମିନ୍‌ରେ ଆସିବା ପରେ ମଧ୍ୟ ସେ ପୂର୍ବବତ୍‌ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲା। ସଦର ଥାନା ଅଧୀନ ଲାଠି ଓ ଦିଗପହଣ୍ଡି ଥାନା ଇଲାକାରେ ଚେରୁ ତା’ର ସହଯୋଗୀ ପାଣ୍ଡା ସହ ଦାଦାବଟିଠୁ ଆରମ୍ଭ କରି ବିଭିନ୍ନ ଅପରାଧକୁ ସକ୍ରିୟ କରିଥିଲା।

ସମ୍ବନ୍ଧିତ ଖବର