ଆଠଗଡ : କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଧାଇପୁର ପଂଚାୟତ କାର୍ଯ୍ୟାଳୟ ଶୌଚାଳୟ ପରିସରରେ ଥିଲା ବୋମା ପେଟି। ଦୁଇ ଜଣ ନାବାଳକ ବଲ୍ ବୋଲି ଭାବିନେଇ ଖେଳିବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଗୋଟିଏ ବୋମା ଫୁଟି ଜଣେ ନାବାଳକ ଆହତ ହୋଇଛି। କାଗଜ ପେଟିରେ ୧୦ ରୁ ୧୫ ଟି ସୂତୁଲି ବୋମା ଥିବାନେଇ ଆଠଗଡ ଥାନାରେ ଅଭିଯୋଗ ହୋଇଛି।
ଧାଇପୁର ଗ୍ରାମର ସ୍ବର୍ଗତ ରାମାକାନ୍ତ ଗୋଛାୟତଙ୍କ ୨ ପୁଅ ରତିକାନ୍ତ ଓରଫ ପପୁ (୧୩ ବର୍ଷ) ଓ ସାନପୁଅ ରୁଦ୍ର ନାରାୟଣ ଓରଫ ରିପୁ(୮) ଗତ ୨୨ ତାରିଖରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଖେଳୁଥିଲେ। ଖେଳୁଥିବା ଅବସ୍ଥାରେ ଶୌଚାଳୟ ମଧ୍ୟରେ ଏକ କାଗଜ ପେଟିରେ ସୂତୁଲି ବୋମା ଦେଖିଥିଲେ। ବଲ୍ ଭାବି ପପୁ ଗୋଟିଏ ସୂତୁଲି ବୋମା ଆଣିଥିଲା। ମାତ୍ର ତାର ସାନଭାଇ ରିପୁ ଏହା ଖରାପ ବଲ୍, ଖେଳିବା ନାହିଁ ବୋଲି କହିବାରୁ ପପୁ ସୂତୁଲି ବୋମାକୁ ଗଡ଼ାଇ ଦେଇଥିଲା। ଫଳରେ ବୋମାଟି ଫାଟିଯିବା ସହ ପପୁର ଛାତିରେ ଆଘାତ ଲାଗିଥିଲା। ତୁରନ୍ତ ତାକୁ ଆଠଗଡ ଉପଖଣ୍ତ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଥିଲା। । ଖବର ପାଇ ଆଠଗଡ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ବୋମା ପେଟି ନଥିବା ପୁଲିସ୍ କହୁଛି। ଘଟଣା ସଂପର୍କରେ ସ୍ବର୍ଗତ ରମାକାନ୍ତଙ୍କ ଭାଇ ସୂର୍ଯ୍ୟକାନ୍ତ ଗୋଛାୟତ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଠଗଡ ଥାନାରେ ମାମଲା ରୁଜୁ ହୋଇଛି। ଘଟଣା ସଂପର୍କରେ ଛାନଭିନ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ବିଚିତ୍ରାନନ୍ଦ ଲେଙ୍କା କହିଛନ୍ତି। ତେବେ, ୬ ଦିନ ତଳେ ଘଟିଥିବା ଏହି ଘଟଣା ଆଜି ଲୋକଲୋଚନକୁ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/IED-blast.jpg)