ଭୁବନେଶ୍ୱର : କିଛିଦିନ ତଳେ ଲକ୍ଷ୍ମୀସାଗର ଥାନା ପୁଲିସ ଓ ସ୍ପେସାଲ ସ୍କ୍ଵାଡ୍‌ ପୁଲିସ ମଙ୍ଗରାଜ ପଏଣ୍ଟ ଅଞ୍ଚଳରୁ ୩୨ଟି ବୋମା ଜବତ କରି ନିଷ୍କ୍ରିୟ କରିଥିଲା। ଏକକାଳୀନ ଏତେ ବୋମା ଜବତ ହେବା ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ରବିବାର ସକାଳୁ ବମିଖାଲ ଅଞ୍ଚଳରେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳ ପ୍ଲଟ୍‌ ନଂ-୧୨୦୨ରେ ଥିବା ୩ ମହଲା କୋଠାର ପ୍ରଥମ ମହଲାରେ ବିସ୍ଫୋରଣ ଯୋଗୁଁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ତେବେ ଉପର ମହଲା ଓ ତଳ ମହଲାରେ ଥିବା ୨ଟି ପରିବାରର ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଛନ୍ତି।

Advertisment

ସୂଚନା ମୁତାବକ, ଦୀର୍ଘ ଦିନ ହେବ ଉକ୍ତ ପ୍ଲଟ୍‌ରେ ଅପରାଧୀମାନେ ଆଡ଼ା ଜମାଇଥିଲେ। ତେବେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଗତିବିଧି ବିଷୟରେ ଟେର୍‌ ପାଇ ନଥିଲା। ହେଲେ କିଛିଦିନ ତଳେ ସ୍ପେସାଲ ସ୍କ୍ଵାଡ୍‌ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ କେତେକ ଦୁର୍ବୃତ୍ତ ଉକ୍ତ ପ୍ଲଟ୍‌ର ପ୍ରଥମ ମହଲାରେ ରହୁଛନ୍ତି। ବିିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ସ୍ଥାନୀୟଲୋକଙ୍କୁ କଥା କଥାକେ ଧମକାଇ ମାର୍‌ପିଟ କରିବା ଭଳି କାଣ୍ଡ ଘଟାଇ ଆତଙ୍କ ସୃଷ୍ଟି କରୁଛନ୍ତି। ସ୍ପେସାଲ ସ୍କ୍ଵାଡ୍‌ ପୁଲିସ ଘଟଣା ବିଷୟରେ ଲକ୍ଷ୍ମୀସାଗର ଥାନାକୁ ଜଣାଇଥିଲା। ଆଉ ଉଭୟ ପୁଲିସ ଅପରାଧୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ସେମାନେ କୁଆଡ଼େ ଯାଉଛନ୍ତି? କେତେବେଳେ ରୁମ୍‌କୁ ଫେରୁଛନ୍ତି? ସେଠାରେ ରହି କ’ଣ କରୁଛନ୍ତି? ଆଦି ବିଭିନ୍ନ ଦିଗ ଉପରେ ପୁଲିସ ନଜର ରଖିଥିଲା।

ରବିବାର ସକାଳ ପ୍ରାୟ ସାଢ଼େ ୬ଟା ହଠାତ୍‌ ସ୍ପେସାଲ ସ୍କ୍ଵାଡ୍‌ ପୁଲିସର ଏକ ଟିମ୍‌ ଉକ୍ତ ଘର ଉପରେ ଚଢ଼ଉ କରିଥିଲା। ଘରର ପ୍ରଥମ ମହଲାରେ ରହୁଥିବା ୩ଜଣ ଅପରାଧୀଙ୍କୁ ଗିରଫ କରିଥିଲା।

ପୁଲସ ସେମାନଙ୍କୁ ଗିରଫ କରି ନେବାର ଠିକ୍‌ ୧୫ ମିନିଟ୍‌ ପରେ ଉକ୍ତ ରୁମ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଶବ୍ଦ ଏତେ ଜୋର୍‌ ଥିଲା ଯେ, କୋଠା ଥରିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। କୋଠାର ଉପର ମହଲା ଓ ତଳ ମହଲାରେ ଥିବା ଲୋକମାନେ ଜୀବନ ବିକଳରେ ଭୟରେ ଦୌଡ଼ା ଦୌଡ଼ି ହୋଇ ଘର ବାହରକୁ ଚାଲିଅସିଥିଲେ। କ’ଣ ଘଟିଲା ବୋଲି ଭାବି ଆଖପାଖ ପଡ଼ୋଶୀ ମଧ୍ୟ ଜୀବନ ବିକଳରେ ଘରୁ ବାହାରକୁ ଚାଲିଆସିଥିଲେ। ଘରଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ଲୋକମାନେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବିଭାଗକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ।

ପୁଲିସ ଏ ନେଇ ତନାଘନା ଚଳାଇଛି।