ଗାଁ ଦାଣ୍ଡରେ ଘନ ଘନ ବୋମା ମାଡ଼

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ପୁରୀ ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗାଁରେ ପୂର୍ବ ବିବାଦକୁ କେନ୍ଦ୍ର କରି ଆଜି ସକାଳୁ ଘନ ଘନ ବୋମାମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ବି ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଏହି ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ନିଶିଭଅଁର ଗାଁରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଟେକା ପଥର ମାଡ଼ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ବିଳମ୍ବିତ ରାତିରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲା। କିନ୍ତୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା କମି ନ ଥିଲା। ଫଳରେ ଆଜି ଭୋରରୁ ପୁଣି ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗାଁ ଦାଣ୍ତରେ ଘନ ଘନ ବୋମା ମାଡ଼ କରାଯାଇଥିଲା। ପ୍ରାୟ ୧୦ରୁ୧୫ଟି ବୋମା ବିସ୍ଫୋରଣ ହୋଇଥିବା କୁହାଯାଉଛି। ପରେ ସଦର ଥାନା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ପୁଲିସ ନିବେଦନ କରିଛି। ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଉଭୟ ପକ୍ଷଙ୍କୁ ପୁରୀ ସଦର ଥାନାରେ ଡାକି ଆପୋସ ବୁଝାମଣା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର