ଗୋଲାପଲ୍ଲୀରେ ବୋମାମାଡ଼, ତଦନ୍ତ ଜାରି

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଗୋଲାପଲ୍ଲୀ ଗ୍ରାମରେ ବି.ଉଦୟନାଥ ପାତ୍ରଙ୍କ ଘରକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ତେବେ ଏହାର କାରଣ ଏଯାବତ୍ ସ୍ପଷ୍ଟ ହୋଇ ନଥିବା ବେଳେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ‌ହୋଇଛି। ଗତକାଲି ବିଳମ୍ବିତ ରାତିରେ ଉଦୟନାଥଙ୍କ ପରିବାରସଦସ୍ୟ ରାତ୍ରୀଭୋଜନ କରୁଥିଲେ। ଏହି ସମୟରେ ହଠାତ୍ ବୋମାମାଡ଼ ହୋଇଥିଲା। ତେବେ କେହିବି ଆହତ ହୋଇ ନଥିବା ଉଦୟନାଥଙ୍କ ପୁଅ ପୀତାମ୍ବର କହିଛନ୍ତି। କେବଳ କାନ୍ଥର କିଛି ଅଂଶ ଫାଟିଯିବା ସହ ବିଭିନ୍ନ ଟୁକୁରା ଏଣେତେଣେ ବିଛେଇ ହୋଇ ପଡ଼ିଯାଇଥିଲା। ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ପୁଣି ପୁଲିସ ଟିମ୍, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍‌ଭିନ୍ କରିଥିଲେ। ଅଞ୍ଚଳର କିଛି ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଉଦୟନାଥ ଏନେଇ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର