ସାଲିଆ ସାହିରେ ବୋମା ମାଡ଼, ଜଣେ ଗୁରୁତର

ଭୁବନେଶ୍ବର : ସାଲିଆସାହି ବସ୍ତି ବିକାଶ ପରିଷଦର ସୁନାମ କ୍ଲାବ୍‌ ନିକଟରେ ଆଜି ବିଳମ୍ବିତ ରାତି ପ୍ରାୟ ୧୨ଟା ୨୫ ମନିଟ୍‌ରେ ସମୟରେ ବୋମା ମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣକ ବୋମା ଫିଙ୍ଗୁଥିବା ବେଳେ ନିଜେ ଏହାର ଶିକାର ହୋଇଛନ୍ତି ନା ତାଙ୍କ ଉପରକୁ କେହି ବୋମା ଫିଙ୍ଗିଛି ତାହା ଜଣା ପଡ଼ି ନାହିଁ। ବିସ୍ଫୋରଣ ଯୋଗୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ଲୋକେ ବାହାରକୁ ଆସିବାରୁ ରାସ୍ତାରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେମାନେ ପୁଲିସକୁ ଖବର ଦେଇଥିଲେ। ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେ‌ଳକୁ କେହି ଆହତ ଯୁବକଙ୍କୁ ମେଡିକାଲ୍‌ ନେଇ ଯାଇଥିଲା। ଯୁବକ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ତେବେ ତାଙ୍କ ପରିଚୟ ଜଣାପଡ଼ିନି।

ବସ୍ତି ବାସିନ୍ଦାଙ୍କ କହିବା ଅନୁଯାୟୀ ରାତି ପ୍ରାୟ ୧୨ଟା ୨୫ ମିନିଟରେ ବିସ୍ଫୋରଣ ଶବ୍ଦ ହୋଇଥିଲା। ଲଗାତାର ୨ଟି ବୋମା ଫୁଟିବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ବାହାରକୁ ଆସିବାରୁ ରାସ୍ତାରେ ରକ୍ତ ଛିଟା ଓ ଜୋତା ପଡ଼ିଥିଲା। ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଛାଟିପିଟି ହୋଉଥିଲେ। ତେବେ ଯୁବକ ଜଣଙ୍କ କାହା ଉପରକୁ ବୋମା ଫିଙ୍ଗୁଥିଲେ ନା କେହି ତାଙ୍କ ଉପରକୁ ବୋମା ଫିଙ୍ଗିଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତାରେ ପଡ଼ିଥିବା ଜୋତା ଓ ବୋମାର ଟୁକୁଡ଼ା ଅଂଶକୁ ଜବତ କରିଛି। ଏହାକୁ ନେଇ ବସ୍ତିରେ ଉତ୍ତେଜନା ଲାଗି ରହିଛି। ପୁଲିସ ଘଟଣାସ୍ଥଳ ଉପରେ ତୀକ୍ଷ୍ଣ ନଜର ରଖିଛି।

ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇ ହୋଇ ପଡ଼ିଛି। କିଛିଦିନ ତଳେ ଖାରବେଳନଗର ଅଞ୍ଚଳରୁ ୨ଟି ଅଫୁଟା ବୋମା ଜବତ ହୋଇଥିଲା। ସେହିପରି ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ବନ୍ଧୁକ ଜବତ କରିବା ସହିତ ୨ ଯୁବକଙ୍କୁ ଅଟକ ରଖିଥିଲା। ତେବେ ଆଜି ବିଳମ୍ବିତ ରାତିରେ ସାଲିଆ ସାହିରେ ବୋମା ମାଡ଼ ହେବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛି। ଏତେ ପରିମାଣରେ ବୋମା କେଉଁଠୁ ଓ କିପରି ଆସୁଛି ତାହା ଏବେ ଚିନ୍ତାର କାରଣ ସାଜିଛି।

ସମ୍ବନ୍ଧିତ ଖବର