ପୁଲିସ ଚଢ଼ଉ ବେଳେ ବିସ୍ଫୋରଣ : ନିଜ ବୋମାରେ ଲୁଟେରା ମୃତ

ଗୋରୁ ବେପାରୀଙ୍କଠାରୁ ୧.୧୦ ଲକ୍ଷ ଲୁଟ୍

ବେଲଗୁଣ୍ଠା/ଭଞ୍ଜନଗର : ଗୋରୁ ବେପାରୀଙ୍କଠୁ ଟଙ୍କା ଲୁଟିବା ପରେ ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଜଙ୍ଗଲ ଭିତରେ ଆରମ୍ଭ ହେଲା ଅପରେସନ୍। ପୁଲିସ୍‌କୁ ଦେଖି ଦୁର୍ବୃତ୍ତମାନେ ଗୁଳି ବି ଚଳାଇଲେ। କିଛି ସମୟ ଧରି ପୁଲିସ୍‌-ଲୁଟେରା ଗ୍ୟାଙ୍ଗଙ୍କ ଗୋଡ଼ାଗୋଡ଼ି। ଆଉ ପୁଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍‌। ଫଳରେ, ପାଖରେ ରଖିଥିବା ବୋମା ଫୁଟିବାରୁ ଜଣେ ଦୁର୍ବୃତ୍ତର ମୃତ୍ୟୁ ହୋଇଗଲା। ଗଞ୍ଜାମ ଜିଲ୍ଲା ‌ଭଞ୍ଜନଗର ଥାନା ଓ ବେଲଗୁଣ୍ଠା ଥାନା ଇଲାକାରେ ଲୁଟେରା ଗ୍ୟାଙ୍ଗ ଓ ପୁଲିସ୍‌ ମଧ୍ୟରେ ଏଭଳି ଛକାପଞ୍ଝା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ଯୁବକ ଜଣକ ହେଉଛି, ଗାଙ୍ଗପୁର ଥାନା ବଡ଼‌ବ‌େରାସିଂ ଗ୍ରାମର ଚରଣ ରାଉତ (୨୪)।

ମିଳିଥିବା ସୂଚନାନୁସାରେ, ଆଜି ସକାଳ ୭ଟାରେ ସୋରଡ଼ା ଥାନା ଲାଠିପଡ଼ା ଗ୍ରାମର ଡାକ ନାୟକ (୪୮) ନାମକ ଜଣେ ଗୋରୁ ବେପାରୀ ୧ଲକ୍ଷ ୧୦ହଜାର ଟଙ୍କା ଧରି ବେଲଗୁଣ୍ଠା ସାପ୍ତାହିକ ହାଟକୁ ଆସୁଥିଲେ। ଏହି ସମୟରେ ଗ‌ାଙ୍ଗପୁର ଥାନା କଣ୍ଟେଇପଲ୍ଲୀ ଓ ବଡ଼ବୋରସିଂ ରାସ୍ତା ମଝି ବାହାଡ଼ାବାଙ୍କ ଜଙ୍ଗଲ ରାସ୍ତାରେ ବିପରୀତ ଦିଗରୁ ଏକ ପଲସର୍ ବାଇକରେ ଚରଣ ସମେତ ତିନି ଜଣ ମୁଖାଧାରୀ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ। ପିସ୍ତଲ ମୁନ ରଖି ଡାକ ଓ ତାଙ୍କ ସହଯୋଗୀ ଅମର ନାୟକଙ୍କୁ ମାଡ଼ ମାରିବା ସହ ୧ଲକ୍ଷ ୧୦ହଜାର ଟଙ୍କା ଓ ବାଇକ୍ ଚାବି ଲୁଟି ନେଇ ମାଳିଚାଞ୍ଚେରା ଜଙ୍ଗଲ ଆଡ଼କୁ ଚମ୍ପଟ୍ ମାରିଥିଲେ। ସେଠାରେ ସେମାନେ ଟଙ୍କା ଭାଗବଣ୍ଟା କରିଥିଲେ।

ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଏହାପରେ ଆଉ ଲୁଟେରା ଗ୍ୟାଙ୍ଗ୍‌ ସହ ପୁଲିସ ଟିମର ସେଠାରେ ମୁହାଁମୁହିଁ ହୋଇଥିଲା। ପୁଲିସ ଗାଡ଼ି ଉପରକୁ ସେମାନେ ବୋମା ଫୋପାଡ଼ିବା ସହ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା ବି କରିଥିଲେ। ପୁଲିସ ପକ୍ଷରୁ ବି ପାଲଟା ଗୁଳିଚାଳନା ହୋଇଥିଲା। ତେବେ ୩ଟି ବାଇକରେ ଥିବା ସାତ ଜଣ ଦୁର୍ବୃତ୍ତ ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଚରଣ ପଡ଼ିଯାଇଥିଲା। ଆଉ ତା’ର ବ୍ୟାଗରେ ଥିବା ବୋମା ଫୁଟିବାରୁ ଚରଣ ଗୁରୁତର ହୋଇଥିଲା। ଅନ୍ୟ ୬ଜଣ ଦୁର୍ବୃତ୍ତ ବାଇକ୍ ଛାଡ଼ି ସେଠାରୁ ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଚରଣକୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର