ମାଲକାନଗିରି/ମାଥିଲି:ମାଲକାନଗିରିରେ ବିଏସ୍ଏଫ୍କୁ ନକ୍ସଲ ଭୟ ଘାରିଛି। ନକ୍ସଲଙ୍କ ସନ୍ଦିଗ୍ଧ କାର୍ଯ୍ୟକଳାପ ନେଇ ସତର୍କତା ଅବଲମ୍ବନ କରୁଛି। ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପାଲ୍ଲୀଠାରେ ଦେଖିବାକୁ ମିଳିଥିଲା। ବିଏସ୍ଏଫ୍ ଯବାନମାନେ ରାଜପଥ କଡ଼ରେ ପଡ଼ିଥିବା ଏକ ପୁରୁଣା ଟେଲିଭିଜନ୍ ସେଟ୍କୁ ବିସ୍ଫୋରଣ କରି ଉଡ଼ାଇଥିଲେ। ଗୋବିନ୍ଦପାଲ୍ଲୀ ନିକଟସ୍ଥ ଉଦଲିବେଡା-ମାଥିଲି ଜାତୀୟ ରାଜପଥ କଡ଼ରେ ଆଜି ସକାଳେ ଗୋଟିଏ ଟେଲିଭିଜନ ସେଟ୍ ସନ୍ଦିଗ୍ଧ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ। ନକ୍ସଲମାନେ ବିସ୍ଫୋରଣ ଭଳି କୌଣସି ଅଘଟଣ ଘଟାଇବା ପାଇଁ ଏପରି ଥୋଇଥିବା ନେଇ ସେମାନଙ୍କ ମନରେ ସନ୍ଦେହ ହୋଇଥିଲା। ଫଳରେ, କେହି ଛୁଇଁବାକୁ ସାହସ କରିନଥିଲେ। ଆଜି ସକାଳୁ ସର୍ଚ୍ଚ ଅପରେସନରେ ବାହାରିଥିବା ବିଏସ୍ଏଫ୍ ଯବାନ ଏହି ଟିଭି ସେଟ୍କୁ ଦେଖିଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଟିଭିରେ ବୋମା ଲଗାଇଥିବା ସନ୍ଦେହ କରି ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦେଇଥିଲେ। ପରେ ମାଲକାନଗିରିରୁ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। କିନ୍ତୁ ସେମାନେ ମଧ୍ୟ ଟିଭିକୁ ଛୁଇଁ ନଥିଲେ। ବିସ୍ଫୋରଣ କରି ଟିଭିକୁ ଉଡ଼ାଇ ଦେଇଥିଲେ। ବିଏସ୍ଏଫ୍ ଅଧିକାରୀଙ୍କ କହିବାନୁସାରେ, ଟିଭିରେ ଯଦି ବୋମା ଖଞ୍ଜା ହୋଇଥାଏ ତାକୁ ଛୁଇଁବା ମାତ୍ରକେ ବିସ୍ଫୋରଣ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଉଡ଼ାଇ ଦେଲେ ତଳେ ଥିବା ଆଇଇଡି ମଧ୍ୟ ବିସ୍ଫୋରଣରେ ଉଡ଼ିଯିବ। କିନ୍ତୁ ବିସ୍ଫୋରଣ ପରେ ସେହି ସ୍ଥାନରେ ବୋମା ନ ଥିବା ସ୍ପଷ୍ଟ ହୋଇଥିଲା। ପ୍ରକାଶଥାଉକି, କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡିରେ ଗତ କିଛିଦିନ ତଳେ ଏକ ସନ୍ଦିଗ୍ଧ ବ୍ୟାଗ୍କୁ ଛୁଇଁବା ପରେ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲାର ରାଇଘରଠାରେ ଆଇଇଡି ବିସ୍ଫୋରଣ ହେବା ଫଳରେ ତିନି ଜଣ ଶ୍ରମିକ ମୃତ୍ୟୁବରଣ କରିଥିଲେ।
ପୁରୁଣା ଟିଭିକୁ ବିସ୍ଫୋରଣ କରି ଉଡ଼ାଇଲେ
ବିଏସ୍ଏଫ୍କୁ ଘାରିଛି ନକ୍ସଲ ଭୟ
/sambad/media/post_attachments/wp-content/uploads/2018/05/mathili-tv-blast.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)