ତାଳଚେର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କାର୍ଯ୍ୟାଳୟ ପରିସରରୁ ଆଜି ସକାଳେ ଏକ ଟାଇମ୍‌ ‌ବୋମା ଉଦ୍ଧାର ହୋଇଛି। ଅପରାହ୍‌ଣରେ ବୋମା ନିଷ୍କ୍ରିୟକାରୀ ଦଳ ଏହାକୁ ନିଷ୍କ୍ରିୟ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଆଜି ତାଳଚେର ବିଧାୟକ ନିଜ କର୍ମୀମାନଙ୍କ ସହ ଅନୁଗୁଳ ଜାତୀୟ ରାଜପଥରେ ୨ ଘଣ୍ଟିଆ ରାସ୍ତାରୋକରେ ସାମିଲ ପାଇଁ ଆସିବାର ଥିଲା। ଏହି ସମୟରେ କିଛି କର୍ମୀ ତାଙ୍କ କାର୍ଯ୍ୟାଳୟ ପରିସରରେ ଏକ ଟାଇମ୍‌ ବମ୍‌ ଥିବା ନେଇ ତାଙ୍କୁ ସୂଚନା ଦେଇଥିଲେ। ବିଧାୟକ ଶ୍ରୀ ପ୍ରଧାନଙ୍କଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୋମା ଥିବା ସ୍ଥାନକୁ ଖାଲି କରିବା ସହ ନିକଟବର୍ତ୍ତୀ ରାସ୍ତାକୁ ବନ୍ଦ କରି ଉକ୍ତ ସ୍ଥାନକୁ ଜଗି ରହିଥିଲା। ପ୍ରାୟ ୭ଘଣ୍ଟା ପରେ ଅନୁଗୁଳରୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଉକ୍ତ ଟାଇମ୍‌ ବମ୍‌କୁ ନିଷ୍କ୍ରିୟ କରିଥିଲା। ପରେ କାର୍ଯ୍ୟାଳୟ ଚାରିପାଖକୁ ଛାନଭିନ୍‌ କରାଯାଇଥିଲା। ଆଉ ବୋମା ନଥିବା ସ୍ପଷ୍ଟ ହେବା ପରେ ସମସ୍ତେ ଆଶ୍ବସ୍ତ ହୋଇଥିଲେ।

Advertisment

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ‌ବୋମା ମିଳିବାର ମାତ୍ର ୧୫ମିନିଟ୍‌ ଭିତରେ ବିଧାୟକ ଶ୍ରୀ ପ୍ରଧାନ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥାନ୍ତେ। ସେଠାରୁ ସେ ଅନୁଗୁଳ ଅଭିମୁଖେ ବାହାରିଥାନ୍ତେ। ଏ ନେଇ ଗତ ଦୁଇଦିନ ହେଲା ତାଙ୍କ କାର୍ଯ୍ୟସୂଚୀ ହୋଇଥିବା କୁହାଯାଉଛି। ଯଦିଓ ଏ ସମ୍ପର୍କରେ ବିଧାୟକ, ତାଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ପୁଲିସ୍‌ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦେଉନାହାନ୍ତି, କିନ୍ତୁ ବୋମା ରଖିଥିବା ବ୍ୟକ୍ତି ବିଧାୟକଙ୍କ କାର୍ଯ୍ୟସୂଚୀ ସମ୍ବନ୍ଧରେ ଅବଗତ ଥିବା ପୁଲିସ୍‌ ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଛି। ତେବେ ପୂର୍ବ ପ୍ରସ୍ତୁତି ଅନୁସାରେ ବିଧାୟକ ଶ୍ରୀ ପ୍ରଧାନ ବାସଭବନରୁ ବାହାରିଥିଲେ ମଧ୍ୟ କାର୍ଯ୍ୟାଳୟ ପରିସରରେ ବୋମା ଥିବା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ୟପଟେ ଏହି ଘଟଣାକୁ ପୁଲିସ୍‌ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛି। ଗୁଇନ୍ଦା ବିଭାଗ ଓ ବରି‌ଷ୍ଠ ପୁଲିସ ଅଧିକାରୀଙ୍କ ବୈଠକ ହୋଇଥିବା ସୂଚନା ମିଳିଛି। ଅତି ଗୋପନୀୟ ଭାବେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ବିଧାୟକ ସନ୍ଧ୍ୟାରେ ବିକ୍ରମପୁର ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ପୁଲିସ ଏକ ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବିଧ‌ାୟକ ଶ୍ରୀ ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ପରିସରରେ ଥିବା ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତାଳଚେର ଅଞ୍ଚଳର ୨ଜଣଙ୍କ ନାଁରେ ବିଧାୟକ ଏତଲା ଦେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏବେ ତାଙ୍କ କାର୍ଯ୍ୟାଳୟ ପରିସରରୁ ଟାଇମ୍‌ ବମ୍ ଉଦ୍ଧାର ହେବା ପରେ ବିଧାୟକଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଖବର ମିଳିଛି। ଏହି ଘଟଣା ପଛରେ ବିରୋଧୀ ଦଳର ହାତ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ବିଧାୟକ ଶ୍ରୀ ପ୍ରଧାନ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କିଛି ଚକ୍ରାନ୍ତକାରୀ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାକୁ ଷଡ଼୍‌ଯନ୍ତ୍ର କରିଥାଇପାରନ୍ତି। ପୁଲିସ ସେମାନଙ୍କୁ ତୁରନ୍ତୁ ଗିରଫ କରୁ ବୋଲି ସେ ଦାବି କରିଛନ୍ତି।