ସରକାରୀ କଲେଜ ପାର୍ଶ୍ବରେ ‘ବୋମା’!

ରାଉରକେଲା: ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜ ପାଚେରୀ ପାର୍ଶ୍ବରେ ବୋମା ଆତଙ୍କକୁ ନେଇ ରାତିରେ ଲୋକଙ୍କ ଭିଡ ଜମିଥିଲା। ରାତି ପ୍ରାୟ  ୯ଟାରେ କଲେଜ ପାଚେରୀରୁ ସିଭିଲଟାଉନ୍‌ସିପ୍‌କୁ ଯାଇଥିବା ରାସ୍ତା ପାର୍ଶ୍ବରେ ‘ବୋମା’ ଭଳି ଦିଶୁଥିବା ଏକ ଜିନିଷ ପଡିଥିବା ଲୋକେ ଦେଖିଥିଲେ। ବୋମା ରଖାଯାଇଥିବା ସନ୍ଦେହ କରି ସେମାନେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଲୋକଙ୍କ ଠାରୁ ସୂଚନା ପାଇ ପ୍ରଥମେ ରଘୁନାଥପାଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାର କିଛି ସମୟ ପରେ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋ ଓ  ବୋମା ନିଷ୍କ୍ରିୟ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେମାନେ ଘଟଣାସ୍ଥଳରେ ପଡିଥିବା ‘ବୋମା’କୁ ଜବତ କରିଥିଲେ। ତେବେ ମାମଲା ସଂପର୍କରେ କିଛି ସ୍ପଷ୍ଟ ଜଣା ପଡ଼ିନାହିଁ। ଅସଲରେ ବୋମା ଜବତ ହୋଇଛି କି ନାହିଁ, ଯଦି ହୋଇଛି ତେବେ ବୋମାର ସଂଖ୍ୟା କେତେ – ଏ ସମ୍ପର୍କ ପୁଲିସ କିଛି କହିବାକୁ ମନା କରିଦେଇଛି। ତେବେ କିଏ ଓ କାହିଁକି ସେଠାରେ ବୋମା ରଖିଲା,  ସିଭିଲଟାଉନସିପ୍‌ର କୌଣସି ବ୍ୟବସାୟୀ କିମ୍ବା ଶିଳ୍ପପତିଙ୍କୁ ଟାର୍ଗେଟ କରିବାକୁ ଅପରାଧୀମାନେ ଏମିତି କରିଥିଳେ କି – ଆଦି ଅନେକ ପ୍ରଶ୍ନ ସାଧାରଣରେ ଆଲୋଚନା ହେଉଛି। କିଛି ସୂଚନା ପ୍ରକାଶ ନକରି ପୁଲିସ କିନ୍ତୁ ଖୋଳତାଡ ଆରମ୍ଭ କରିଛି।

ସେପଟେ ଏସ୍‌ପି ଓ ପୁଲିସ ଟିମ୍‌ ପହଞ୍ଚିବା ପରେ ଘଟଣାସ୍ଥଳରେ ଲୋକଙ୍କର ଭିଡ ବେଶ୍‌ ଜମିଥିଲା। ଜବତ ହୋଇଥିବା ‘ବୋମା’କୁ ଦେଖିବାକୁ ଘଟଣାସ୍ଥଳରେ ଲୋକେ ଗହଳି କରିଥିଲେ। ଫଳରେ ଘଟଣାସ୍ଥଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ପୁଲିସ ଲୋକଙ୍କୁ ଘଟଣାସ୍ଥଳରୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର