ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଡ଼ବା ଥାନା ଅନ୍ତର୍ଗତ ବାଲିଗଣ୍ଡା ଜଙ୍ଗଲରେ ପୋତା ହୋଇଥିବା ୨୫ କିଲୋ ଓଜନର ଏକ ଟିଫିନ୍ ବୋମା ଆଜି ଉଦ୍ଧାର କରାଯାଇଛି। କଟାମା ପଂଚାୟତର ବାଲିଗଣ୍ଡା ଗ୍ରାମ ନିକଟ ପାହାଡ଼ିଆ ଜଙ୍ଗଲରୁ ଟିଫିନ ବୋମା ଓ ଏହା ସହ ସଂଯୋଗ ୫୦ ମିଟର ତାର ବୋମା ନିଷ୍କ୍ରିୟକାରୀ ଟିମ୍ ଦଳ ଆଜି ଉଦ୍ଧାର କରିଛନ୍ତି। ଦୀର୍ଘଦିନ ତଳୁ ଏହା ପୋତା ହୋଇ ରହିଥିବା ଅନୁମାନ କରାଯାଉଛି।
ଗତ ରାତିରେ ଡିଭିଏଫ୍ ଏବଂ ଏସ୍ଓଜି ଯବାନମାନେ ମିିଳିତ କମ୍ବିଂ ଅପରେସନ ଚଳାଇଥିବା ସମୟରେ ବାଲିଗଣ୍ଡା ଜଙ୍ଗଲରେ ଏହି ଅଫୁଟା ଟିଫିନ ବୋମା ପୋତି ହୋଇ ରହିଥିବା ସନ୍ଧାନ ପାଇଥିଲେ। ଅଡ଼ବା ଥାନା ସବ୍ ଇନିସପେକ୍ଟର ମୁକେଶ ଲାକ୍ରାଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ବୋମା ନିଷ୍କ୍ରିୟକାରୀ ଦଳ ଆଜି ଘଟଣାସ୍ଥଳରେ ପହଞ୍ଚିଥିଲେ। କଣ୍ଟେନର୍ ବୋମାଟିକୁ ଊଦ୍ଧାର କରି ସୁରକ୍ଷିତ ଭାବେ ଏହାକୁ ନିଷ୍କ୍ରିୟ କରା ଯାଇଥିଲା। ବର୍ତ୍ତମାନ ଅଂଚଳରେ ମାଓ ଗତିବିଧି ପ୍ରାୟ ନଥିବା ଯୋଗୁଁ ବହୁ ଦିନ ତଳୁ ଏହା ପୋତା ଯାଇଥିବା ଅନୁମାନ କରାଯାଉଛି।