ଭୁବନେଶ୍ୱର : ଚିଲିକାର ବରକୂଳ ନିକଟ ଚନ୍ଦ୍ରାପୁଟ୍ରେ ଥିବା ଚିଲିକା ଉନ୍ନୟନ କର୍ତୃପକ୍ଷ(ସିଡିଏ)ଙ୍କ ଓ୍ଵଟ୍ଲ୍ୟାଣ୍ଡ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର ପରିସରରେ ବମ୍ବେ ନାଚୁରାଲ୍ ହିଷ୍ଟ୍ରି ସୋସାଇଟିର ଆଞ୍ଚଳିକ କେନ୍ଦ୍ର ଆସନ୍ତା ସୋମବାର ଉଦ୍ଘାଟନ ହେବ। ୧୯୬୭ରୁ ଚିଲିକା ସହିତ ଏହି ସୋସାଇଟି ସଂପୃକ୍ତ ଥିଲେ ହେଁ ପ୍ରଥମ ଥର ପାଇଁ ଏହା ନିଜସ୍ୱ ଆଞ୍ଚଳିକ କେନ୍ଦ୍ର ଖୋଲିବାକୁ ଯାଉଛି।
ଶୀତ ଦିନେ ଚିଲିକା ହ୍ରଦକୁ ଦେଶ ବିଦେଶରୁ ୯ ଲକ୍ଷରୁ ଅଧିକ ପକ୍ଷୀ ଆସିଥାନ୍ତି। ସିଡିଏ ଓ ଜଙ୍ଗଲ ବିଭାଗ ସହିତ ବମ୍ବେ ସୋସାଇଟି ମିଳିତ ଭାବେ ପକ୍ଷୀ ଗଣନା କାର୍ଯ୍ୟ ଗତ ଦେଢ଼ ଦଶନ୍ଧି ଧରି କରିଆସୁଛି। ପକ୍ଷୀ ଗଣନା ସହିତ ବିଦେଶାଗତ ପକ୍ଷୀଙ୍କର ଆକାଶମାର୍ଗ ଚିହ୍ନଟ, ନମୁନା ସଂଗ୍ରହ, ପକ୍ଷୀ ଗଣନା ସଂକ୍ରାନ୍ତ ପ୍ରଶିକ୍ଷଣ, ଚିଲିକାର ପକ୍ଷୀ ପରିଭ୍ରମଣ ଆଟ୍ଲାସ୍ ପୁସ୍ତକ ପ୍ରକାଶନ, ପକ୍ଷୀଙ୍କ ମଧ୍ୟରେ ବିଭିନ୍ନ ରୋଗ ପରୀକ୍ଷଣ ଓ ନଳବଣ ପକ୍ଷୀ ଅଭୟାରଣ୍ୟର ସ୍ୱାସ୍ଥ୍ୟ ସ୍ଥିତି ଆକଳନ ଆଦି ସଂପର୍କରେ ଉଦ୍ଘାଟନ ହେବାକୁ ଥିବା ସୋସାଇଟିର ଆଞ୍ଚଳିକ କେନ୍ଦ୍ର ବିଶେଷ ଭାବେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ୧୮୮୩ରେ ବମ୍ବେରେ ପ୍ରତିଷ୍ଠିତ ବମ୍ବେ ସୋସାଇଟି ଦେଶର ଖ୍ୟାତନାମା ଗବେଷଣା ସଂସ୍ଥା। ବିଶିଷ୍ଟ ପକ୍ଷୀ ବିଶେଷଜ୍ଞ ଡ. ସଲିମ ଅଲ୍ଲୀ ଏହାର ପୂର୍ବତନ ସଭାପତି।