ବରୀ: ଘନଘନ ବୋମାମାଡ଼ରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତଳାଙ୍ଗ ପଞ୍ଚାୟତ ଖଜୁରିପୋଖରୀ ଗ୍ରାମର ଦଳିତ ବସ୍ତି ଅଶାନ୍ତ ହୋଇଉଠିଛି। ରବିବାର ଅପରାହ୍ଣରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାରୁ ୧୦ ରୁ ଅଧିକ ବୋମାମାଡ଼ ହୋଇଛି। ଟେକାପଥର ମାଡ଼ ସହିତ ବୋମାମାଡ଼ରେ ଉଭୟ ଗୋଷ୍ଠୀର ୬ଜଣରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ବରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଖବର ପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅଫୁଟା ବୋମା ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଫୋର୍ସ ଧରି ଏସଡିପିଓ ସତ୍ୟବ୍ରତ ଲେଙ୍କା ଘଟଣାସ୍ଥଳରେ ପଇଁତରା ମାରିଛନ୍ତି। ପୁଲିସ ପଇଁତରା ଦେଖି ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି।
ମିଳିଥିବା ସୂଚନା ମୁତାବକ ଦଳିତ ବସ୍ତିର ଏକ ରାସ୍ତାକୁ ନେଇ ବହୁଦିନ ହେଲା ଜଗତ ଜେନା ପରିବାର ସହିତ ଧନେଶ୍ବର ଜେନା ଓରଫ କାଳିଆଙ୍କ ପରିବାର ସହିତ ବିବାଦ ରହିଥିଲା। ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ବଚସାରୁ ହାତାହାତି ପର୍ଯ୍ୟନ୍ତ ଘଟଣା ଚାଲିଯାଇଥିଲା। ଉଭୟ ପକ୍ଷରୁ ଟେକାପଥର ମାଡ଼ ସହିତ ବୋମାମାଡ଼ ହୋଇଥିଲା। ଏଥିରେ ଧନେଶ୍ବର ଜେନା, ଚନ୍ଦନ ଜେନା, ବାନା ଜେନା, କରୁଣାକର ଜେନା, ଆନନ୍ଦ ଜେନା, ଧୀରେନ ଜେନା ଆହତ ହୋଇଛନ୍ତି। ଆହୁରି ଅନେକ ଆହତ ହୋଇଥିଲେ ବି ଡାକ୍ତରଖାନା ଯାଇନଥିବା ଜଣାପଡ଼ିଛି। ଉଭୟ ପକ୍ଷରୁ ଦୁଇଟି ପୃଥକ୍ ଅଭିଯୋଗ ହୋଇଛି। ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗାଁରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଚିତ୍ତରଂଜନ ଜେନା ସୂଚନା ଦେଇଛନ୍ତି।