କିଶନନଗର: କିଶନନଗର ଥାନା ପୁରୁଣାହାଟ ପଞ୍ଚାୟତ ସୋଗଲ ଗ୍ରାମର ବିଜେଡି ନେତା ଚିତ୍ତରଞ୍ଜନ ପୁହାଣ ଓରଫ ମିଟୁ ପୁହାଣଙ୍କ ଘର ନିକଟରେ ବୁଧବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ସେହି ସମୟରେ ମିଟୁ ପୁହାଣ ଘରେ ଉପସ୍ଥିତ ଥିଲେ। ତାଙ୍କ ଘର ନିକଟ ରାସ୍ତା ଉପରେ ଦୁଇଟି ଓ ଘର ପଛପଟରେ ଗୋଟିଏ ବୋମାମାଡ଼ ହୋଇଥିଲା। ଏନେଇ ତାଙ୍କ ପତ୍ନୀ ସ୍ୱର୍ଣ୍ଣପ୍ରଭା ଦାଶ ଆଜି କିଶନନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ମୁତାବକ ମିଟୁଙ୍କ ପରିବାର ଲୋକେ ଶୋଇବାକୁ ଯିବା ସମୟରେ ରାତି ପ୍ରାୟ ୧୧ଟା ୨୦ ମିନିଟ୍‌ରେ ତାଙ୍କ ଘର ନିକଟ ରାସ୍ତା ଉପରେ ଦୁଇଟି ବୋମା ଫୁଟିବା ଶବ୍ଦ ଶୁଣିଥିଲେ। ଏହି ଶବ୍ଦ ଏତେ ଜୋର ଥିଲା ଯେ ଘରେ କମ୍ପନ ସୃଷ୍ଟି ହେବା ସହ ଆଖପାଖ ଅଞ୍ଚଳ ଧୂଆଁ ହୋଇଯାଇଥିଲା। ଭୟରେ ମିଟୁଙ୍କ ପରିବାର ଲୋକ ରାତିରେ ଶୋଇ ପାରି ନଥିଲେ। ସକାଳେ ଘରୁ ବାହାରି ଦେଖିବା ପରେ ଘର ପଛପଟରେ ବି ଏକ ବୋମା ମାଡ଼ ହୋଇଥିବା ଦେଖିବାକୁ ପାଇଥିଲେ। କିଶନନଗର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।

ବୋମାମାଡ଼ରେ ଘରରେ କମ୍ପନ ସୃଷ୍ଟି ହୋଇ ଉପର ମହଲା ଝରକା କାଚ ଭାଙ୍ଗି ଯାଇଥିବା କୁହାଯାଉଛି। ମିଟୁ ପୁହାଣ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ଏକାନ୍ତ ଅନୁଗତ। ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ପୁରୁଣାହାଟ, ତରିତୋ, ରଟିଲୋ ଓ ସୁଦୁଖଣ୍ଡ ଭଳି ୪ଟି ପଞ୍ଚାୟତରେ ତାଙ୍କର ଦବଦବା ରହିଛି। ବିଭିନ୍ନ ହିତାଧିକାରୀ ଚୟନ ସହ ସାଲେପୁର ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କର ପ୍ରଭାବ ରହିଥିଲା। ତେବେ ପ୍ରତାପଙ୍କ ପରାଜୟ ପରେ ଏବେ ମିଟୁଙ୍କ ଘର ନିକଟରେ ବୋମାମାଡ଼ ଅଭିଯୋଗକୁ ନେଇ ଅଞ୍ଚଳରେ ଚର୍ଚ୍ଚା ପ୍ରସଙ୍ଗ ହୋଇଛି।