ଶ୍ରୀମନ୍ଦିର ନିକଟରେ ବୋମାମାଡ

ପୁରୀ: ପୁରୀ ଟାଉନଥାନା ଅର୍ନ୍ତଗତ ତଥା ଶ୍ରୀମନ୍ଦିର ନିକଟ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଆଇନଜୀବୀ ଶୁଭାଶିଷ ମହାନ୍ତିଙ୍କ ଘର ଉପରକୁ ବୋମା ମାଡ ହୋଇଛି। ଲଗାତାର ଦୁଇଟି ବୋମାମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସିସିଟିଭିରେ ବୋମାମାଡର ଦୃଶ୍ୟ କଏଦ ହୋଇଛି। ଖବରପାଇ ଟାଉନ ଥାନା ପୁଲିସ ଉକ୍ତ ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜମି ବିବାଦକୁ ନେଇ ବୋମା ମାଡ଼ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ତେବେ ବୋମାମାଡର କାରଣ ଅସ୍ପଷ୍ଟ ଥିବାବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ‌ବୋମାମାଡ ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ପୁରୀରେ ଅପରାଧ ବନ୍ଦ ଥିବାବେଳେ ଏବେ ପୁଣି ଦୁର୍ବୃତ୍ତମାନେ ସେମାନଙ୍କ ଅପରାଧର ପେଢ଼ି ଖୋଲିଛନ୍ତି।

ସିସିଟିଭିରେ କଏଦ ହୋଇଥିବା ବୋମା ମାଡର ଦୃଶ୍ୟ।

ପ୍ରକାଶ ଯେ ସ୍କାଇଲାଇଟକୁ ନେଇ ଗତ ୧୫ ଦିନ ପୂର୍ବେ ଆଇନଜୀବୀ ଶୁଭାଶିଷ ମହାନ୍ତି ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ତେଣୁ ଆଜି ଶୁଭାଶିଷଙ୍କ ଘରକୁ ବୋମାମାଡ ହେଇଥିବା ଜଣାପଡିଛି। ଏଥିରେ ତାଙ୍କ ପୁତୁରାର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି। ଏବେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଥିବାବେଳେ କାର୍ତ୍ତିକ ମାସ ଅବସରରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହୁଛି। ତେଣୁ ପୁଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।

ସମ୍ବନ୍ଧିତ ଖବର