ଧର୍ମଶାଳା : ଯାଜପୁର ଜିଲ୍ଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କ ଉପରେ ଶନିବାର ରାତିରେ ହୋଇଥିବା ବୋମାମାଡ ଘଟଣା ସଂପର୍କରେ ତାଙ୍କ ପତ୍ନୀ ସୁନ୍ଦୁରିଆ ପଞ୍ଚାୟତର ସମିତି ସଭ୍ୟା ରିଲୁ ବେହୁରା ଆଜି ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଗୁଣ୍ତାବାହିନୀ ଏସବୁ କାଣ୍ତ ଭିଆଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଯାଜପୁର ରୋଡ୍ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ଏତଲା ଗ୍ରହଣ କରିଥିଲେ। ଶ୍ରୀମତୀ ବେହୁରାଙ୍କ ସହିତ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ, ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ ଓ ସର୍ବେଶ୍ବରଙ୍କ ସହଯୋଗୀ ଆହତ ସୁଶାନ୍ତ କୁମାର ବେହେରା ଘଟଣା ସଂପର୍କରେ ପୁଲିସ୍‌ ସହିତ ଆଲୋଚନା କରିଥିଲେ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ପୁଲିସ୍‌ ମଧ୍ୟ ଘଏନେଇ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। ଘଟଣାର ୨୪ଘଣ୍ଟା ପରେ ବି ପୁଲିସ୍‌ ଅଭିଯୁକ୍ତଙ୍କ ଟେର୍ ପାଇ ନଥିବା ଜଣାପଡିଛି।

Advertisment

ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗାଁ ଦଳିତ ସାହିରେ ଗତକାଲି ହେଉଥିବା ଅଷ୍ଟପ୍ରହର ନାମଯଜ୍ଞରେ ଯୋଗଦେଇ ସର୍ବେଶ୍ବର ତାଙ୍କ ସହଯୋଗୀ ସୁଶାନ୍ତ ଓ ବଳରାମ ଦାସଙ୍କ ସହିତ ନିଜ କାରରେ ଜାରକା ଫେରୁଥିଲେ। ଏହି ସମୟରେ ଇମାମନଗର ଗାଁ ଛକରେ ପୂର୍ବରୁ ଜଗିଥିବା ୨ଜଣ ଦୁର୍ବୃତ୍ତ କାର୍ ଉପରକୁ ଲଗାତାର ୪ଟି ଶକ୍ତିଶାଳୀ ବୋମା ଫିଙ୍ଗିଥିଲେ। ପ୍ରଥମ ବୋମାଟି କାର୍ ନିକଟ ରାସ୍ତା ଉପରେ ପଡ଼ି ବିସ୍ଫୋରଣ ହୋଇଥିଲା। ଅଷ୍ଟପ୍ରହର ହେଉଥିବାରୁ ଗାଁ ଲୋକେ ବାଣ ଫୁଟାଉଛନ୍ତି ବୋଲି ପ୍ରଥମେ ଭ୍ରମ ସୃଷ୍ଟି ହୋଇଥିଲା। ପରେ ପରେ ଆଉ ୩ଟି ବୋମା ପଡ଼ିବାରୁ ସେମାନଙ୍କ ଉପରେ ଆକ୍ରମଣ ହେଉଛି ବୋଲି ଜାଣି କାର ପଛକୁ ନେଇ ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତଦ୍ବୟ କଳାନାଲି ରଙ୍ଗର ଏକ ପଲସରରେ ନାକପୋଲ ଲକ୍ ଛକ ଆଡେ ଚମ୍ପଟ ମାରିଥିଲେ। ଖବରପାଇ ଯାଜପୁର ଏସ୍‌ପି ରାହୁଲ୍ ପିଆର୍ ଓ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ସର୍ବେଶ୍ବରଙ୍କ ଆଶୁ ଆରେଗ୍ୟ କାମନା କରି ଜାରକା ତ୍ରିନାଥ ମନ୍ଦିରରେ ଆଜି ସନ୍ଧ୍ୟାରେ କେତେକ ବିଜେପି କର୍ମୀ ଦୀପଦାନ କରିଛନ୍ତି।