ବମିଖାଲ ପୋଲ ଭୁଶୁଡ଼ିବା ଘଟଣା: ପୁଣି ବିବାଦରେ ଅରୁଣ ସାହୁ

ଭୁବନେଶ୍ୱର: ବମିଖାଲ୍‌ ପୋଲ ଭୁଶୁଡ଼ିବା ପରେ କେହି କେହି ଇଞ୍ଜିନିଅରକୁ ଦୋଷୀ କରିଥିବା ବେଳେ କେହି କଣ୍ଟ୍ରାକ୍ଟର ଏବଂ କେହି ସରକାରଙ୍କୁ ଦୋଷାରୋପ କରିଥିଲେ। ମାତ୍ର ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାର ମୁଖ୍ୟ ଖଳନାୟକ ପ୍ରତାପ ପଣ୍ଡାଙ୍କ ସହ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପର୍କର ଗୁମର ଖୋଲିଲା ବିଜେପି। ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଅରୁଣଙ୍କୁ କାଠଗଡାକୁ ଟାଣିଲେ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ୧୭, ୧୮, ୧୯ ତାରିଖରେ ଦିଲ୍ଲୀ ଓଡିଶା ନିବାସର ୧୦୬ ନମ୍ବର କୋଠରୀରେ ଅରୁଣ ସାହୁ, ପଣ୍ଡା ଇନ୍‌ଫ୍ରାର ମାଲିକ ପ୍ରତାପ ପଣ୍ଡାଙ୍କ ସହ କରୁଥିଲେ କଣ?

ବମିଖାଲ ବ୍ରିଜ ଭୁଷୁଡିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଆସିନାହିଁ। କେବଳ ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କୁ ଗିରଫ କରଛି କମିଶନରେଟ ପୋଲିସ। ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ କେବଳ ଲୁକ୍‌ ଆଉଟ ସର୍କ୍ୟୁଲାର ଜାରି କରି ପୋଲିସ ମଧ୍ୟ ହାତ ବାନ୍ଧି ବସିଛି। ତେଣୁ ଅନ୍ୟ ଦୋଷୀ ମାନଙ୍କୁ କିଏ ଘଣ୍ଟ ଘୋଡଉଛି ତାକୁ ନେଇ ପ୍ରଶ୍ନ କରିଛି ରାଜ୍ୟ ବିଜେପି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବମିଖାଲର ଖଳନାୟକ ପଣ୍ଡା ଇନ୍‌ଫ୍ରା ସହ ଅରୁଣ ସାହୁଙ୍କ ସମ୍ପର୍କ ନେଇ ପ୍ରଶ୍ନ କରିଥିଲା ବିଜେପି। ଯାହାକୁ ନେଇ ସେତେବେଳେ ଅରୁଣ ବିଜେପକୁ ଚ୍ୟାଲେଂଜ୍‌ କରିଥିଲେ। କହିଥିଲେ ଯଦି ବିଜେପି ପାଖରେ ପ୍ରମାଣ ଅଛି ସେମାନେ ତାଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ପଦକ୍ଷେପ ନିଅନ୍ତୁ। ଏବେ ପୁଣି ଅରୁଣଙ୍କୁ ବିଜେପି ଟାର୍ଗେଟ କରିଥିବା ବେଳେ ଅରୁଣଙ୍କ ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର