ବମିଖାଲ ଓଭର ବ୍ରିଜ ନିର୍ମାଣ କରିବେ ସରକାର, ଏହି ସବୁ କାମରୁ ପଣ୍ଡା ଇନ୍‌ଫ୍ରା କମ୍ପାନିକୁ ବାଦ ଦିଆଗଲା

ଭୁବନେଶ୍ୱର: ଗତ ୩ତାରିଖ ରାତିରେ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ତିନି ଜଣିଆ ବିଶେଷଜ୍ଞ ଦଳ ଏହି  ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ତେବେ ବମିଖାଲ ଓଭର ବ୍ରିଜ ସରକାର ନିଜେ ନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।

ଏଥିସହିତ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଛନ୍ତି, ବମିଖୋଲ ଓଭରବ୍ରିଜ ଭୁଶୁଡିବା ନେଇ ବିଭାଗୀୟ ଅଧିକାରୀଙ୍କୁ ସୋ-କଜ୍‌ ନୋଟିସ୍‌ ଜାରି ହେବ।  ବମିଖାଲ ଓ ଭୁବନେଶ୍ୱର ଲିଙ୍ଗରାଜ ଓଭରବ୍ରିଜର କାମ ପୂର୍ତ୍ତ ବିଭାଗ ନିର୍ମାଣ କରିବା ନିଷ୍ପତ୍ତି ହୋଇଛି। ଏଥିସହିତ ସମ୍ବଲପୁର ଓ ଜଟଣୀ ଓଭରବ୍ରିଜ ପାଇଁ ନୂଆ ଟେଣ୍ଡର ହେବ। ଏହି ସବୁ କାମରୁ ପଣ୍ଡା ଇନ୍‌ଫ୍ରା କମ୍ପାନିକୁ ବାଦ ଦିଆଯାଇଛି। ତେବେ ବମିଖାଲ ଓଭରବ୍ରିଜ ଭୁଶୁଡିବା ନେଇ ପଣ୍ଡା ଇନ୍‌ଫା ପ୍ରୋଜେକ୍ଟର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ିଙ୍କୁ ଦଫା ୩୦୪, ୩୩୪,୩୩୫, ୩୪ ଆଇପିସି ଧାରାରେ ଗିରଫ କରାଯାଇଛି। ପୂର୍ବରୁ ସଂସ୍ଥାର ଏମ୍‌ଡି  ପ୍ରତାପ ପଣ୍ଡା ଗିରଫ ହୋଇଥିଲେ।

ବମିଖାଲ ଓଭରବ୍ରିଜ ମାମଲା ନେଇ ପୁଲିସ ୧୦ ଜଣଙ୍କ ନାମରେ ଏତଲା ଦାଏର କରିଥିଲା। ଏତଲା ଦାୟର ହୋଇଥିବା ୧୦ଜଣଙ୍କ ହେଲେ ଠିକାଦାର ପ୍ରତାପ ପଣ୍ଡା, ସନ୍ତୋଷ ପଣ୍ଡା, ସୁଜାତା ପଣ୍ଡା, ନିର୍ବାହୀଯନ୍ତ୍ରୀ ପ୍ରମୋଦ ନାୟକ, ସହନିର୍ବାହୀ ଯନ୍ତ୍ରୀ ଦିଲୀପ ସାହୁ, ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ନୀରଜ ଶର୍ମା, ବିରଞ୍ଜି ନାରାୟଣ ଜେନା ଓ ବିପୁଲ ଚକ୍ରବର୍ତ୍ତୀ।

ସୂଚନାଯୋଗ୍ୟ, ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଗତ ୩ ତାରିଖ ରାତିରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ରଡ୍‌ ତଳେ ଚାପି ହୋଇଯାଇଥିଲେ। ଫଳରେ ଜଣେ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହିତ ଠିକା ସଂସ୍ଥାର ମାଲିକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ଦୁର୍ଘଟଣା ଘଟିବାର ପରଦିନ ପୁଲିସ ବ୍ରିଜ୍‌ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟର ମାଲିକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର