ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଯନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌, ଠିକାଦାର ଦୋଷୀ

ଭୁବନେଶ୍ୱର : ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣାରେ ଠିକାଦାର ସମ୍ପୂର୍ଣ୍ଣ ଦୋଷୀ। କାମ ତଦାରଖ କରୁଥିବା ପୂର୍ତ୍ତ ବିଭାଗ ଇଞ୍ଜିନିୟରଙ୍କ କିଛି ଦୋଷ ନାହିଁ।

ଏହି ଦୁର୍ଘଟଣାର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ସ୍ତରୀୟ କମିଟି ଏମିତି ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟରେ ଯନ୍ତ୍ରୀମାନଙ୍କୁ ଏକପ୍ରକାର କ୍ଲିନ୍‌ଚିଟ୍‌ ଦିଆଯାଇଛି। ଆଜି ଏ ସମ୍ପର୍କରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସୁରକ୍ଷା ନେଇ ଠିକା ସଂସ୍ଥା ଯତ୍ନବାନ ନ ଥିଲା। ଯେତିକି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କଥା, ତାହା ହୋଇ ନ ଥିବାରୁ ଅଘଟଣ ଘଟିଲା। ଏପରି ଚରମ ଅବହେଳା ପାଇଁ ଠିକା ସଂସ୍ଥାକୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ବାକି କାମ ରାଜ୍ୟ ସରକାର ନିଜେ କରିବେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବମିଖାଲ ସହ ଲିଙ୍ଗରାଜ ଓଭର୍‌ବ୍ରିଜ୍‌ କାମରୁ ପଣ୍ଡା ଇନ୍‌ଫ୍ରାକୁ ବାଦ୍‌ ଦିଆଯାଇଛି। ସମ୍ବଲପୁର ଓ ଜଟଣୀ ଫ୍ଲାଏଓଭର୍‌ ସମ୍ପର୍କରେ ଆଇନ୍‌ଗତ ଦିଗର ତର୍ଜମା କରାଯାଉଛି। ପରବର୍ତ୍ତୀ ସମୟରେ ସେ ନେଇ ନିଷ୍ପତ୍ତି ନିଆଯିବ।

ବମିଖାଲ ଓଭର୍‌ବ୍ରିଜ୍‌ କାମ ତଦାରଖ କରୁଥିବା ଯନ୍ତ୍ରୀଙ୍କୁ କେବଳ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଯେହେତୁ ତଦନ୍ତ ରିପୋର୍ଟରେ ଯନ୍ତ୍ରୀଙ୍କ ତ୍ରୁଟି କେଉଁଠି ଦର୍ଶାଯାଇ ନାହିଁ, ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ନାହିଁ। ସୂଚନାଯୋଗ୍ୟ ଯେ ବମିଖାଲ ଓଭର୍‌ବ୍ରିଜ୍‌ ରିଟେନ୍‌ ଓ୍ଵାଲ୍‌ ରଡ୍‍ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ କାରଣ ଖୋଜିବା ପାଇଁ ତିନି ମୁଖ୍ୟଯନ୍ତ୍ରୀଙ୍କୁ ନେଇ ତଦନ୍ତ କମିଟି ଗଠନ କରାଯାଇଥିଲା।

ଅପର ପକ୍ଷରେ ଏହି ଘଟଣାରେ ପଣ୍ଡା ଇନ୍‌ଫ୍ରାର ଆଉ ଜଣେ ନିର୍ଦେଶକ ପ୍ରଶାନ୍ତ କୁମାର ପାଢ଼ୀ(୫୫)ଙ୍କୁ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଛନ୍‌ଘରା ଅଞ୍ଚଳ। ତାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ପୁଲିସ ଦଫା ୩୦୪/ ୩୩୭/୩୩୮/୩୪ ଆପିସିରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ସେ ପ୍ରତାପ ପଣ୍ଡାଙ୍କ ମାମୁଁ ବୋଲି ପୁଲିସ ସୂତ୍ରରୁ ଜଣା ପଡ଼ିଛି।

ଏହି ଘଟଣାରେ ପୁଲିସ୍‌ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପ୍ରଥମେ କମ୍ପାନି ପରିଚାଳନା ନିର୍ଦ୍ଦେଶକ ପ୍ରତାପ କିଶୋର ପଣ୍ଡାଙ୍କ ଗିରଫ ହୋଇଥିଲେ। ମାମଲାରେ ନାମ ଥିବା ଅନ୍ୟମାନେ ହେଲେ ପଣ୍ଡା ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ପ୍ରୋଜେକ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ ନିର୍ଦ୍ଦେଶକ ସନ୍ତୋଷ କୁମାର ପଣ୍ଡା, ସୁଜାତା ପଣ୍ଡାଙ୍କ ସମେତ ପ୍ରୋଜେକ୍ଟ ମ୍ୟାନେଜର ନିରଜ କୁମାର ଶର୍ମା, ପୂର୍ବତନ ପ୍ରୋଜେକ୍ଟ ମ୍ୟାନେଜର ବିପୁଲ ଚକ୍ରବର୍ତୀ, ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ସାହୁ, ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ଆର୍‌ ଆଣ୍ଡ ବି ଡିଭିଜନ୍‌-୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ ଓ ବିରଞ୍ଚି ନାରାୟଣ ଜେନା । ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଦୟା ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର