ଅସହ୍ୟ ହେଲାଣି ବମିଖାଲ ନିର୍ଯାତନା : ସମୟ ଗଡ଼ାଉଛନ୍ତି ସରକାର, ୬ବର୍ଷ ହେଲା ନିର୍ମାଣ ଚାଲିଛି, ସରୁନି

ଭୁବନେଶ୍ବର : ବମିଖାଲ ଓଭରବ୍ରିଜ କାମ ଅମୁକ ମାସରେ ସରିଯିବ। ସମୁକ ଦିନ ଉଦଘାଟନ ହେବ। ଆଉ ଅଳ୍ପ କାମ ବାକି ଅଛି, ଏଇ ମାସରେ ସାରିଦେବୁ। ଏମିତି କହି ମାସେ କି ଦୁଇ ମାସ ନୁହେଁ, ଦୀର୍ଘ ୪ ବର୍ଷ ଧରି ରାଜଧାନୀବାସୀଙ୍କ ସହିତ ଖେଳ ଖେଳୁଛନ୍ତି ପୂର୍ତ ବିଭାଗ। ସଚିବାଳୟ ଠାରୁ କେଇ କିଲୋମିଟର ଦୂରରେ ଏହି ଓଭରବ୍ରିଜ ବୟାନ କରୁଛି, ପୂର୍ତ ବିଭାଗର କାର୍ଯ୍ୟଶୈଳୀର ଗତି କେତେ କ୍ଷୀପ୍ର। ମୁଖ୍ୟମନ୍ତ୍ରୀ, ପୂର୍ତ ମନ୍ତ୍ରୀ, ସଚିବ ବି ଏହି ରାସ୍ତାରେ ଯାଉଛନ୍ତି। ଶାସକ ଦଳର ତଥାକଥିକ ବଡ ବଡ ନେତା, ସରକାରର ତଥାକଥିତ କ୍ଷମତାଶାଳୀ ଅଧିକାରୀମାନେ ମଧ୍ୟ। ହେଲେ କାହାର ଏଥିପ୍ରତି ଯେମିତି ନିଘା ନାହିଁ।

ବାସ୍ତବତା ହେଲା, ଏଯାଏ ଓଭରବ୍ରିଜ ନିର୍ମାଣ ସରିପାରିଲା ନାହିଁ। କାମର ଗତି ଦେଖିଲେ, ଏକଥା ସହଜରେ ବୁଝି ହେଉଛି ଯେ ଦିନ ଦଶ ପନ୍ଦରଟା ମଧ୍ୟରେ ସରିବାର ନାହିଁ। ଏବେ ଅଧିକାରୀମାନେ ପୁଣି ସ୍ବପ୍ନ ଦେଖାଉଛନ୍ତି ଯେ ଜାନୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ଖୋଲିଯିବ। ସମ୍ଭବତଃ, ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ, ଏଣୁ ନାଁ କମାଇବା ପାଇଁ ଏହି ପୋଲ କାମକୁ ଅଧାପନ୍ତରିଆ ଭାବେ ଉଦଘାଟନ କରିଦିଆଯାଇପାରେ।

କର୍ତୃପକ୍ଷଙ୍କର ଏଭଳି ଖେଳ କିନ୍ତୁ ରାଜଧାନୀବାସୀଙ୍କ ପାଇଁ କାଳ ହେଲାଣି। ରାଜଧାନୀର ଛାତି ଉପରେ ଠିଆ ହୋଇଥିବା ଏହି କଳଙ୍କିତ ଓଭରବ୍ରିଜ ଏବେ ଭୁବନେଶ୍ବରିଆଙ୍କ ଜୀବନକୁ ଦୁର୍ବିସହ କରିଦେଲାଣି। ପୁରୀ-ଭୁବନେଶ୍ବର-କଟକ ରାସ୍ତାରେ ଯାତାୟତ ଅତ୍ୟନ୍ତ କଷ୍ଟଦାୟକ ହୋଇପଡିଛି। ଏମିତି ଯେ କଳ୍ପନାଛକରୁ ରସୁଲଗଡ ଛକ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏମିତି ଦିନ ନାହିଁ, ଯେଉଁଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁନାହିଁ କିମ୍ବା ଟ୍ରାଫିକ ଜାମ ଲାଗି ଲୋକେ ଅଟକି ରହୁନାହାନ୍ତି। ପୁଲିସ କମିସନର ମଧ୍ୟ ବିପର୍ଯ୍ୟସ୍ତ ସ୍ଥିତି ସଂପର୍କରେ ପୂର୍ତ ବିଭାଗକୁ ତାଗିଦ କରିବାର ନଜିର ନାହିଁ। ଏହି ବ୍ରିଜର ଉଭୟ ପାର୍ଶ୍ବରେ ଥିବା ଦୋକାନ ବଜାର, ଘରର ଲୋକେ ବର୍ଷ ବର୍ଷ ଧରି ଧୁଳି ଖାଇଲେଣି। ତ୍ରାହି ତ୍ରାହି ଡାକୁଛନ୍ତି। ଅଫିସ ସମୟରେ ଓ ସନ୍ଧ୍ୟା ସମୟର କଥା ନ କହିବା ଭଲ। ରାସ୍ତାରେ ମଲ୍, ଡାକ୍ତରଖାନା, ବ୍ୟାବସାୟିକ ପ୍ରତିଷ୍ଠାନ ଥିବା କାରଣରୁ ଲୋକଙ୍କ ଯାତାୟତ ଦିନକୁ ଦିନ ବଢୁଛି ଓ ସ୍ଥିତି ଗମ୍ଭୀର ହେବାରେ ଲାଗିଛି।

୨୦୧୨ ମସିହାରୁ ବମିଖାଲ ଓଭରବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ମାର୍ଚ୍ଚ ୨୦୧୪ରୁ ସେମାନଙ୍କ ଅଂଶର କାର୍ଯ୍ୟ ସାରିଦେଇଛନ୍ତି। ପୂର୍ତ୍ତ ବିଭାଗ ପାରୁନି। ବିଭାଗର ଜଣେ ଅଧିକାରୀ ସଫେଇ ଦେଇଛନ୍ତି, ଏହି ଓଭରବ୍ରିଜ୍‌ର ରସୁଲଗଡ଼ ପାର୍ଶ୍ବ କାର୍ଯ୍ୟ ୨୦୧୫ରୁ ସରିଲାଣି। ଜମି ଅଧିଗ୍ରହଣ, ସରକାରୀ କ୍ବାର୍ଟର୍ସ ଉଚ୍ଛେଦ କରି ସହିଦନଗର ପାର୍ଶ୍ବ କାର୍ଯ୍ୟ ୨୦୧୬ରେ ଶେଷ ହୋଇଛି। ଓଭରବ୍ରିଜ୍‌ର ଡିଜାଇନ୍ ୨୦୧୬ ମସିହାରେ ବଦଳିବାରୁ ବମିଖାଲ ପାର୍ଶ୍ବକୁ ବ୍ରିଜ୍‌ ସମ୍ପ୍ରସାରଣ ହୋଇଥିଲା। ଓଭରବ୍ରିଜ୍ ସ୍ଲାବ୍ ଖସି ଦୁଇ ଜଣଙ୍କର ମୃତ୍ୟୁ ଯୋଗୁଁ କାମ ବନ୍ଦ ହେଲା। ଜବରଦଖଲ ଉଚ୍ଛେଦ, ମୁଖ୍ୟ ଡ୍ରେନ୍ ନଂ-୧୦ ଉପରେ କଲଭର୍ଟ ନିର୍ମାଣ କରିବା, ରାସ୍ତା ପାର୍ଶ୍ବରେ ଡ୍ରେନ୍ ନିର୍ମାଣ କରିବା, ଆପ୍ରୋଚ୍ ରୋଡ୍ ନିର୍ମାଣ ଯୋଗୁଁ କାମ ବିଳମ୍ବ ହୋଇଛି।

ହେଲେ ପୂର୍ବତନ ଯନ୍ତ୍ରୀମାନଙ୍କର କହିବା କଥା, ପୂର୍ତ୍ତ ବିଭାଗର ମନ୍ଥର କାର୍ଯ୍ୟ ଏବଂ ବ୍ରିଜ୍ ନିର୍ମାଣ ପାଇଁ ସଂପୂର୍ଣ୍ଣ ଯୋଜନା ଆଗୁଆ ପ୍ରସ୍ତୁତ ନକରିବା ଏହି ଓଭରବ୍ରିଜ୍ ନିର୍ମାଣ ଶେଷ ହେବାରେ ମୁଖ୍ୟ ବାଧକ ସାଜିଛି। କର୍ତୃପକ୍ଷଙ୍କ ଉଦାସୀନ ମନୋଭାବକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ସରକାରୀସ୍ତରରେ ସମ୍ଭବତଃ ଯେଭଳି ତନାଘନା ହେବା କଥା ତାହା ହେଉନାହିଁ।

ଡିଭିଜନ୍‌-୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ କହିଛନ୍ତି ଯେ ସନ୍ତୋଷୀ ମା’ ମନ୍ଦିର ନିକଟରେ ମୁଖ୍ୟ ଡ୍ରେନ୍ ଉପରେ ଥିବା କଲଭର୍ଟ ନୂଆ କରି ନିର୍ମାଣ କରାଯାଉଥିବାରୁ କାମ ବିଳମ୍ବ ହେଉଛି। ଏବେ ସନ୍ତୋଷୀ ମା’ ମନ୍ଦିର ପାର୍ଶ୍ବରେ କାମ ଶେଷ ହୋଇଛି। ଏକାମ୍ର ଟକିଜ୍ ପାର୍ଶ୍ବରେ ବ୍ରିଜ୍‌ ସହ କଲଭର୍ଟ କାମ ହେଉଛି। ଜନସ୍ବାସ୍ଥ୍ୟ ବିଭାଗ ପାଣି ପାଇପ୍‌ ବି ଘୁଞ୍ଚାଯାଉଛି। ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା କାମ ସରିଯିବ। ଏହାପରେ ପରୀକ୍ଷାମୂଳକ ଭାବେ କିଛିଦିନ ପାଇଁ ଓଭରବ୍ରିଜ୍‌କୁ ଖୋଲାଯିବ। ତାହାପରେ ଉଦ୍‌ଘାଟନ ହେବ।

ପ୍ରଶ୍ନ ଉଠିଲାଣି, ଏହି ଓଭରବ୍ରିଜ ନିର୍ମାଣରେ ବିଳମ୍ବ ହେବା ଯୋଗୁଁ ପ୍ରକଳ୍ପ ଖର୍ଚ କେତେ ବଢିଲା? ଏହା କାହାଠାରୁ ଭରଣା କରାଯିବ? ଲୋକେ ଆଉ କେତେ ପ୍ରଭାବିତ ହେଲେ କର୍ତୃପକ୍ଷ ଚେତିବେ?

ସମ୍ବନ୍ଧିତ ଖବର