ବଣାଇ: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ କୁଚେଇତା ଗ୍ରାମରେ ଗତକାଲି ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି l ବର୍ତ୍ତମାନ ଧାନ ଅମଳକ୍ଷମ ଥିବା ବେଳେ ହାତୀମାନେ ଧାନ ଖାଇବାକୁ ଜଙ୍ଗଲ ନିକଟସ୍ଥ ଗ୍ରାମମାନଙ୍କୁ ଆସୁଛନ୍ତି l
ଘଟଣାରୁ ପ୍ରକାଶ ଯେ ରାଉରକେଲା ବନଖଣ୍ଡର ବାଙ୍କୀ ବନାଞ୍ଚଳ ଅଧୀନସ୍ଥ କୁଚେଇତା ଗ୍ରାମରେ ରାତିରେ ଧାନ ଜଗିବାକୁ ସ୍ଵାମୀ ପାଗଳ ମୁଣ୍ଡା ଏବଂ ପତ୍ନୀ ମୋନିକା ମୁଣ୍ଡା ଜମିକୁ ଯାଇଥିଲେ l ସେହି ସମୟରେ ପ୍ରାୟ କୋଡ଼ିଏରୁ ଅଧିକ ହାତୀ ଥିବା ଏକ ହାତୀଦଳ ସେମାନଙ୍କ ଜମି ନିକଟକୁ ଆସିଥିଲେ। ସ୍ୱାମୀ ସ୍ତ୍ରୀ ସେମାନଙ୍କୁ ଘଉଡାଇ ଥିଲେ l ସେମାନେ ପଳାଇଥିଲେ। ତେବେ ସେହି ହାତୀପଲ ମଧ୍ୟରୁ ଗୋଟିଏ ଦନ୍ତାହାତୀ ପଛରେ ଲୁଚି ରହିଥିଲା lହାତୀଟି ମହିଳାଜଣଙ୍କୁ ଅତି ନିକଟରେ ପାଇ ନିଜ ଦାନ୍ତ ସାହାଯ୍ୟରେ ମହିଳାଙ୍କୁ ମାରିବା ସହିତ ତାଙ୍କର ଅନ୍ତବୁଜୁଳା ବାହାର କରି ଦେଇଥିଲା l ଏହାଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା l
ଆଜି ଖବର ପାଇ ଚାନ୍ଦିପୋଷ ଥାନା ଅଧିକାରୀ ଏବଂ ବାଙ୍କୀ ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l ତଦନ୍ତ ପରେ ମହିଳାଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି l ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି l