ସରକାରୀ ଡାକ୍ତରଖାନାରେ କାମ ନ କଲେ ଡାକ୍ତରଙ୍କୁ ଜରିମାନା

ଏମ୍‌ବିବିଏସ୍‌ ୫୦ଲକ୍ଷ, ପିଜି ଦେଢ଼ କୋଟି ଓ ସୁପର ସ୍ପେସାଲିଷ୍ଟ ୨ କୋଟି ଗଣିବେ

ଭୁବନେଶ୍ବର : ରାଜ୍ୟ ସରକାରୀ ମେଡିକାଲ କଲେଜରେ ପାଠ ପଢ଼ି ବାହାରକୁ ପଳାଉଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ନୂଆ ନିୟମ ଆଣିଛନ୍ତି। ଏମ୍‌ବିବିଏସ୍‌, ପିଜି ଓ ସୁପର ସ୍ପେସାଲିଷ୍ଟ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ପରେ ରାଜ୍ୟ ସରକାରଙ୍କ ଅଧୀନରେ ଦୁଇବର୍ଷ କାର୍ଯ୍ୟ କରିବାକୁ ବାଧ୍ୟ। ଯଦି ସେମାନେ ଦୁଇବର୍ଷ କାର୍ଯ୍ୟ ନ କରିବେ, ସେମାନଙ୍କୁ ଯଥାକ୍ରମେ ୫୦ଲକ୍ଷ, ଦେଢ଼ କୋଟି ଓ ଦୁଇ କୋଟି ଟଙ୍କା ଜରିମାନା ଆକାର‌ରେ ଦେବାକୁ ହେବ। ଏଥିପାଇଁ ରାଜ୍ୟ ସରକାର ବଣ୍ଡ ବ୍ୟବସ୍ଥା କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି, ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ସରକାର ଆଣିବାକୁ ଥିବା ନୂତନ ସ୍ବାସ୍ଥ୍ୟ ନୀତିର ଏହା ଏକ ଅଂଶବିଶେଷ। ରାଜ୍ୟରେ ଡାକ୍ତର ପଦ ପୂରଣ କରିବା ପାଇଁ ସରକାର ସବୁପ୍ରକାର ଉଦ୍ୟମ କରୁଛନ୍ତି। ମାତ୍ର ଡାକ୍ତରୀ ପାଠ ସାରି ଛାତ୍ରଛାତ୍ରୀମ‌ାନେ ରାଜ୍ୟ ବାହାରକୁ ପଳାଉଛନ୍ତି। ଯେଉଁମାନେ ସରକାରୀ ମେଡିକାଲ କଲେଜରେ ପଢ଼ୁଛନ୍ତି, ସେମାନେ ରାଜ୍ୟବାସୀଙ୍କ ପାଇଁ ସେବା କରିବା ଦରକାର। ଏଥିପାଇଁ ଛାତ୍ରଛାତ୍ରୀମାନେ ବଣ୍ଡ ରାଜିନାମା କରିବାକୁ ପଡ଼ିବ। ଏଥିରେ ଛାତ୍ରଛାତ୍ରୀଙ୍କର ଦୁଇଜଣ ଅଭିଭାବକ ବନ୍ଧକ (ସିଓରିଟିଜ୍) ରହିବେ। ରାଜ୍ୟ ଓ ରାଜ୍ୟ ବାହାରର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ। ବିନା ବଣ୍ଡରେ କେହି ନାମ ଲେଖାଇ ପାରିବେ ନାହିଁ। ଫଳରେ ଶିକ୍ଷା ସମାପ୍ତି ପରେ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଅଧୀନରେ ଅତି କମ୍‌ରେ ଦୁଇବର୍ଷ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ଯଦି ଏଥିରେ ସେମାନେ ଖିଲାପ କରନ୍ତି, ତେବେ ଏମ୍‌ବିବିଏସ୍‌ ଉତ୍ତୀର୍ଣ୍ଣ ଡାକ୍ତର ରାଜ୍ୟ ସରକାରଙ୍କ ନିକଟରେ ୫୦ଲକ୍ଷ, ପିଜି ଉତ୍ତୀର୍ଣ୍ଣ ଡାକ୍ତର ଦେଢ଼ କୋଟି ଓ ସୁପରସ୍ପେସାଲିଷ୍ଟ ପାଠ ସାରିଥିବା ଛାତ୍ରଛାତ୍ରୀ ୨ କୋଟି ଟଙ୍କାର ଜରିମାନା ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ରାଜ୍ୟ ସରକାର ପିଜି ଛାତ୍ରଛାତ୍ରୀଙ୍କ ପାଇଁ ୨ ବର୍ଷର ସେବା ନେଇ ଏକ ନିର୍ଦେଶନାମା ଜାରି କରିଥିଲେ। ମାତ୍ର ଏହାକୁ ନେଇ ବିବାଦ ଦେଖା ଦେବା ପରେ ରାଜ୍ୟ ସରକାର ୨୦୧୬/୧୭ବର୍ଷରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ।

ସମ୍ବନ୍ଧିତ ଖବର