ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ୍ର ବଣ୍ଡାଘାଟିରେ ବସବାସ କରନ୍ତି ପ୍ରାଚୀନ ବଣ୍ଡା ଜନଜାତି। ବଣ୍ଡାଘାଟିର ମଦୁଲିପଡ଼ା ଏବଂ ଅଣ୍ଡ୍ରାହାଲ ପଞ୍ଚାୟତର ପ୍ରାୟ ୩୨ଟି ଗ୍ରାମରେ ଏହି ଜନଜାତି ନିଜର ପାରମ୍ପରିକ ଜୀବନ ଶୈଳୀରେ ଏବେ ବି ଜୀବନ ଯାପନ କରୁଛନ୍ତି। ଏକବିଂଶ ଶତାବ୍ଦୀରେ ପୃଥିବୀ ପାଦ ଥାପି ସାରିଥିଲେ ହେଁ ଏମାନେ ଏବେ ବି ବାହ୍ୟଜଗତ ସହ ନିଜକୁ ଖାପ ଖୁଆଇ ପାରିନାହାନ୍ତି। ଆଧୁନିକ ସଭ୍ୟତା ସହ ଧୀରେ ଧୀରେ ଯୋଡ଼ି ହେବାକୁ ଚେଷ୍ଟା କଲେଣି। ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ପଞ୍ଚାୟତର ସଦର ମହକୁମାରେ ସୀମିତ ରହୁଥିବା ଏହି ଜନଜାତି ଏବେ ବ୍ଲକ୍ ସଦର ମହକୁମାରେ ପହଞ୍ଚି ନିଜର କାମ କରାଇବାରେ ସକ୍ଷମ ହେଲେଣି। ହେଲେ ଯେଉଁଭଳି ଭାବେ ଏହି ଜନଜାତି ଉନ୍ନତ ହେବା କଥା ତାହା ଆଜି ମଧ୍ୟ ସମ୍ଭବ ହୋଇପାରିନି। ଏମାନଙ୍କ ପାଇଁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରକି ବଣ୍ଡା ଉନ୍ନୟନ ସଂସ୍ଥା ଦ୍ବାରା ବଣ୍ଡାଙ୍କ ଉନ୍ନତି ପାଇଁ ପ୍ରଚେଷ୍ଟା ଚାଲିଛି। ଏବେ ମୋବାଇଲ ଫୋନ୍ ମଧ୍ୟ ବଣ୍ଡାଙ୍କ ଜୀବନରେ ପ୍ରବେଶ କରିଥିବା ଦେଖାଗଲାଣି।
ଜଣେ ବ୍ୟକ୍ତି ମୋବାଇଲରେ ବଣ୍ଡା ମହିଳାଙ୍କର ଫଟୋ ଉଠାଇ ଦେଖାଇବାରୁ ସେମାନେ ନିଜ ନିଜର ଫଟୋକୁ ମୋବାଇଲରେ ଦେଖି ଆନନ୍ଦିତ ହେବା ସହ ଭୟଭୀତ ମଧ୍ୟ ହୋଇପଡୁଥିବା ଦେଖିବାକୁ ମିଳିଥିଲା। ଏତେ ଶୀଘ୍ର କିପରି ସେମାନଙ୍କର ଫଟୋ ଏହି ଯନ୍ତ୍ରରେ ଆସିଯାଉଛି ତାକୁ ନେଇ ସେମାନଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ। ଏହା କୌଣସି ଭୌତିକ ବିଷୟ ଭାବି କେତେବେଳେ ଦୂରେଇ ଯାଉଛନ୍ତି ତ ପୁଣି କେତେବେଳେ ଏହାର ଚମତ୍କାରିତା ଦେଖି ପାଖେଇ ଆସୁଛନ୍ତି।
/sambad/media/post_attachments/wp-content/uploads/2020/02/bonda-women_2.jpg)
ଏହା ଏକ ଫୋନ୍ ବୋଲି ସେମାନଙ୍କୁ ବୁଝାଇବା ସହ ଏହାର କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଉଛି। ଦୁର୍ଗମ ବଣ୍ଡାଘାଟି ଅଞ୍ଚଳରେ ମୋବାଇଲ ପହଞ୍ଚିଥିବା ବେଳେ ଯୋଗାଯୋଗର ଏହି ଆଧୁନିକ ଯନ୍ତ୍ରଟିକୁ ନେଇ ଉତ୍କଣ୍ଠିତ ହୋଇ ପଡ଼ିଛି ଜନଜାତି। ଯାଦୁ ଭଳି ସମସ୍ତ ଜିନିଷ ତୁରନ୍ତ ମୋବାଇଲରେ କଏଦ ହେଉଥିବାରୁ ସେମାନେ ଏହାକୁ ଦେବତାଙ୍କ ସହ ମଧ୍ୟ ତୁଳନା କରୁଛନ୍ତି। ଏହି ଜନଜାତି ଲୋକଙ୍କୁ ମୋବାଇଲର ବ୍ୟବାହାର ସମ୍ପର୍କରେ ସଚେତନ କରାଇବା ସହ ସେବା ପହଞ୍ଚାଇ ପାରିଲେ ଏମାନଙ୍କ ଜୀବନ ଯାତ୍ରା ସୁଗମ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Tribal-Women-Saw-Her-Pic-on-Mobile_Thumbnail.jpg)