ଯାଜପୁରସଦର : ନିର୍ବାଚନ ଯେତିକି ପାଖେଇ ଆସୁଛି ଗାଁ ପରିବେଶ ସେତିକି ସରଗରମ ହେଉଛି। ଏପରି ସମୟରେ ପ୍ରାର୍ଥୀମାନେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଅଭିନବ ଉପାୟ ବାହାର କରୁଛନ୍ତି। ଏପରି ଜଣେ ସରପଞ୍ଚ ପ୍ରାର୍ଥିନୀ ତାଙ୍କର ଖୋଲାବହି ଚିହ୍ନର ପ୍ରଚାର ପାଇଁ ଛୋଟଛୋଟ ପିଲାମାନଙ୍କୁ ବିଭିନ୍ନ ବହି ବାଣ୍ଟି ଭୋଟ୍ ପ୍ରଚାର ସହ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ଦଶରଥପୁର ବ୍ଲକ୍ ରାହାସୋଇ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ କବିତା ପତି ଓ ସମିତିସଭ୍ୟା ପ୍ରାର୍ଥିନୀ ଶୁଭାସିନୀ ପଣ୍ଡା ମିଳିତ ଭାବେ ଭୋଟ୍ ପ୍ରଚାର କରୁଛନ୍ତି। ଦୁଇ ପ୍ରାର୍ଥିନୀ ଏକ ନିଆରା ପ୍ରଚାର ଶୈଳୀ ଆପଣେଇଥିବାରୁ ଛୋଟଛୋଟ ପିଲାଙ୍କ ସହ ସେମାନଙ୍କ ଅଭିଭାବକମାନେ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ସରପଞ୍ଚ ପ୍ରାର୍ଥିନୀ କବିତା ପତିଙ୍କର ଖୋଲା ବହି ଚିହ୍ନ। ଏହି ଚିହ୍ନକୁ ଭୋଟରଙ୍କ ମଧ୍ୟରେ ପଚାର କରିବାକୁ ପ୍ରତି ପରିବାରର କୁନିକୁନିପିଲାମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରୁଛନ୍ତି। ତାଙ୍କ ସହ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥିନୀ ଶୁଭାସିନୀ ପଣ୍ଡା ମଧ୍ୟ ସହଯୋଗ କରୁଛନ୍ତି। ସମିତିସଭ୍ୟା ପ୍ରାର୍ଥିନୀ ଶୁଭାସିନୀ ପଣ୍ଡାଙ୍କର କେଟିଲି ଚିହ୍ନରେ ମଧ୍ୟ ଭୋଟ୍ ଦେବାପାଇଁ ଦୁଇ ପ୍ରାର୍ଥିନୀ ଲୋକମାନଙ୍କୁ ଅନୁରୋଧ କରୁଛନ୍ତି।